ସ୍ମୃତି
ସ୍ମୃତି
ମେଘ ବରଷିଲା ମାଟି ଭିଜୁ ଥିଲା
ଖେଳି ଗଲା ତା ସୁବାସ
ଝରକା ସେପଟେ ମନ ମୋ ବିଭୋର
ଭରିଲା ମୋ ଓଠେ ହସ ।
ଝିମଝିମ ବର୍ଷା ମାଟିକୁ ଚୁମଇ
ଆନମନା କଲା ସ୍ପର୍ଶ
ବାହୁ ପ୍ରସାରିଲି ବକ୍ଷରେ ଲୋଟିଲ
ଗଣ୍ଡ ଗୋଲାପ ସଦୃଶ ।
ନୀଳ କଇଁ ପରି ତୁମ ଚକ୍ଷୁ ଦ୍ଵୟ
ପ୍ରୀତି ଭରା ସେ ଚାହାଣୀ
ଉନ୍ମାଦନା ଦେଲ କିଶୋର ଶରୀରେ
ରଚିଲେ ପ୍ରେମ କାହାଣୀ ।
ବରଷାର ଧାରା ଝରି ଆନନ୍ଦରେ
ଭିଜାଏ ମାଟି ତନୁକୁ
ଶିହରିତ ହେଲା ମୋହରି ଶରୀର
କୋଳେଇ ନେଲି ତୁମକୁ ।
ବରଷା ଆସିଲେ ବିଜୁଳି ଚମକେ
ବଢାଏ ମାଟିର ଶୋଭା
ତୁମେ ଚାଲିଗଲ ସ୍ମୃତି ଛାଡି ଦେଇ
କଥା ତୁମ ମନଲୋଭା ।
ଆଜି ମାଟି ଭିଜେ ବରଷା ଟୋପାରେ
ମିଳନ ହୁଏ ଧରାରେ
ଆଜି ନାହଁ ତୁମେ ମୋହରି ପାଶରେ
ସ୍ମୃତିରେ ମୋ ମନ ଝୁରେ ।
ମିଳନ ହେବ କି ସତେ ଦୁହିଁଙ୍କର
ସମ୍ଭାବନା ଦିଶୁ ନାହିଁ
ବାରମ୍ବାର କିଆଁ ସ୍ମୃତି ପଟେ ଆସ
କୁହ ପ୍ରିୟା କେଉଁ ପାଇଁ ।