STORYMIRROR

Kali Kumar

Tragedy

3  

Kali Kumar

Tragedy

ସ୍ମୃତି ସମାଧି

ସ୍ମୃତି ସମାଧି

2 mins
278

ଜେଜେମା' ତାକୁ ତା' ଭାଷାରେ

ଅଠର ଘୁଣ୍ଟିଆ(ଗୁଣ୍ଠ) କହେ

ସେଠି କାଳେ, ଆଠ କାଳି ବାର ମାସି

ପାଣି ଜମେ, ତେଣୁ

ତାକୁ ଚଷିବାକୁ କେହି ଇଚ୍ଛନ୍ତିନି ।

ସେସନ ପାଣିର ସ୍ତର ଟିକେ କମ୍ ଦେଖି

ବାପା ତାକୁ ଚଷିବାକୁ ମନସ୍ତ କରି

ତଳି ରୋଇ ଦେଲେ;

ସାର-ପାଣି-ପବନ ଖାଇ ତଳି ଗୁଡ଼ିକ

ବେଶ୍ ! ହୃଷ୍ଟପୃଷ୍ଟ ହେଲେ ।

କିଛି ଦିନ ଅଠର ଘୁଣ୍ଟିଆ ପ୍ରକୃତିର ସ୍ପର୍ଶରେ

ସବୁଜିମାରେ ମଣ୍ଡିତ ହେଲା

ନାଚିଲା, ଗାଇଲା, ଲହ ଲହକେଇଲା

ତା' ହସଖୁସିର ହୃଷ୍ଟପୃଷ୍ଟ ଚେହେରା

ବୋଧେ; ଦଇବ ବେଶି ଦିନ ସହି ନ ପାଇଲା

ଦିନେ ହଠାତ୍ ! ଜୁଆର ମାଡ଼ି ଆସିବାରୁ

ଅଠର ଘୁଣ୍ଟିଆର ସବୁଜ ସତେଜ ଉପତ୍ୟକାରେ

ପାଣିର ନଗ୍ନତା, ବିଷାଦର ମଗ୍ନତା ଅଚିରେ ଖେଳିଗଲା ।

ତା' ପରେ ବାପା-ଭାଇ ମୁହାଁମୁହିଁ

କଥା କଟାକଟି, ମନ ଫଟାଫଟି,

ଆଉ ବୋଉର କାନ୍ଦୁରା କାନ୍ଦୁରା ଆଖି

ଧାନ କିଆରିର ପାଣିରେ ମାଛ ଧରା ସ୍ମୃତି

ଜୁଆର ପାଣିରେ ଭାସି, ସବୁ ହେଉଥିଲା ଇତି ।

ସେହି ମଗ୍ନ ଉପତ୍ୟକାରେ

ସମୟର ଚକ୍ରରେ

ପୁଣି ଜୀବନ ଖେଳି ଉଠିଲା

ବାପାଙ୍କ ସହ ଭାଇ କାନ୍ଧ ମିଶାଇ ଚାଲିଲା

ଆଉ ଅଠର ଘୁଣ୍ଟିଆ ସୁବର୍ଣ୍ଣ ରଂଗରେ ରଂଗେଇ ହେଲା ।।

ବାପା- ଭାଇଙ୍କ କାନ୍ଧରେ ବାହୁଙ୍ଗିରେ ବନ୍ଧା

ଅଠର ଘୁଣ୍ଟିଆର ଅମଳ ସୁବର୍ଣ୍ଣ

ଆଉ ଭାରୁଆ ପଛେ ପଛେ

ଧାନକେଣ୍ଡା ସାଉଣ୍ଟୁଥିବା ମୋ ପିଲାଦିନ

ଉଭୟେ ହସହସ ମୁହଁରେ ଘରକୁ ଫେରିଥିଲେ।

ଏକଥାକୁ ଅନେକ ବର୍ଷ ବିତିଗଲାଣି, ଏବେବି

ଅଠର ଘୁଣ୍ଟିଆ ବନ୍ଧ୍ୟା, ବଂଜର, ଅଚଷା

ହୋଇ ରହିଯାଇଛି,

ତା' ପ୍ରସସ୍ଥ ବକ୍ଷ ସ୍ଥଳରେ ଗୁଳ୍ମ ଏବଂ ହଡ଼କଚ

ଅକଣ୍ଟକିତ ରାଜୁତି ଅହରହ କରି ଚାଲିଛି ।

ସମୟ ସୁବିଧା ଦେଖି ବାପା, ଏବେବି

ଅଠର ଘୁଣ୍ଟିଆ ଆଡ଼େ ବୁଲି ଯାଆନ୍ତି

ବାପାଙ୍କ ଆଖିରେ ନାଚି ଉଠେ

ଜେଜେଙ୍କ ହଳୁଆ ବେଶ

ଚନ୍ଦା ମୁଣ୍ଡେ ଦୁଇ ଚାରି ହଳ

ଶୁଭ୍ର ଫରଫର ପତଳା କେଶ

ଖୋର୍ଦ୍ଧା ଗାମୁଛା ଅଣ୍ଟାରେ ଭିଡ଼ି

ହାତରେ ପୁଣି ହାତିମ୍ ବିଡ଼ି

ତୁଣ୍ଡରେ କେତେଯେ ହଳୁଆ ଗୀତ

ଦିହକୁ ପୁଣି ମାଘର ବଢ଼ିଲା ଶୀତ

କ୍ରମାଗତ କ୍ରମାନ୍ବୟରେ କ୍ରମଶଃ କ୍ରମଶଃ

ଆଗ ପଛ ହୋଇ ଭାସିବୁଲେ ।

ଅଠର ଘୁଣ୍ଟିଆର ବନ୍ଧ୍ୟା କୋଳରେ

ହସ ଫୁଟାଇବାକୁ ଯାଇ, ସେଦିନ

ବୁଲଡୋଜର୍ ସାହାଯ୍ୟରେ

ତା' ରୂପ ରେଖକୁ ବଦଳେଇ ଦେଲି ।

ସେଦିନ ରାତିରେ ବର୍ଷା ପାଣି ସାଙ୍ଗକୁ

ପୂର୍ଣ୍ଣିମାର ଜହ୍ନ, ଅଠର ଘୁଣ୍ଟିଆର

ପରିବର୍ତ୍ତିତ କଳେବର ନିକଟରେ

ଏକତ୍ରିତ ହୋଇଥିଲେ

କିଛି କ୍ଷଣର ମିଳାପ ଉତ୍ତାରୁ

ଯିଏ ଯାହା ବାଟରେ; ପୁଣି ଫେରି ଯାଇଥିଲେ

କିନ୍ତୁ, ଛାଡ଼ି ଯାଇଥିଲେ କିଛି ଚିହ୍ନ ।

ତହିଁ ପର ସକାଳୁ ଦେଖେତ, ସେ ଚିହ୍ନ

ଅସହାୟ, ନିଃସହାୟ ସଦ୍ୟଜାତ ପରିତ୍ୟକ୍ତା

କନ୍ୟାଶାବକ ଭାଂତି, ରକ୍ତ ଜୁଡୁବୁଡୁ ଦେହେ

ଚିତ୍କାର କରୁଥାଏ,

ସେ ଚିତ୍କାରରେ ସମ୍ମିଳିତ ଥିଲା

ବାପାଙ୍କ ଦୃଢ଼ ଇଚ୍ଛାଶକ୍ତି

ବୋଉର ଅସର୍ତମୂଳକ ଭାବ ପ୍ରୀତି

ବଡ଼ ଭାଇର ହଜିଲା ଯୌବନ

ଆଉ ମୋ ଅଫେରା ପିଲାଦିନ

ଯାହା ନିର୍ମାଣର ନୂତନ ଧାରାରେ

ମାଟି ତଳେ ପୋତି ହୋଇ ଯାଇଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy