ସ୍ମୃତି ଫୁଆର
ସ୍ମୃତି ଫୁଆର
ଆଜି ମୋର ଏଇ ନିଃସଙ୍ଗ ପ୍ରାଣେ
ଏକା ସ୍ମୃତି ଅଛି ହୃଦୟ ମନେ ।
ତୁମେ ପ୍ରିୟା ମୋର ଚିର ସଙ୍ଗିନୀ
ହୃଦୟେ ଶୀତଳ ମାନସେ ରାଣୀ ।
ଦୂରେଇଲ ମୋତେ ପାଞ୍ଚିଲ ଐରୀ
ମୁହିଁ ଶିବ ପରା ତୁମେ ଗଉରୀ ।
ନିଶ୍ଚୟ ଦିନେ ନା ଦିନେ ଆସିବ
ସ୍ମୃତି ଝରକାରୁ ମୋତେ ଡାକିବ ।
ତହିଁରେ ଫୁଟିବ ଯେଉଁ କମଳ
ଗଢ଼ିବା ସେ ସ୍ଥାନେ ପ୍ରେମ ଦେଉଳ ।
ଜନ୍ମରୁ ମରଣ ଯେତେକ ପଥ
ସ୍ମୃତି ସାଥେ ଆମ ଚଳିବ ରଥ ।
ଏଇ ଆଷାଢ଼ର କାନିକୁ ଛୁଇଁ
ତୁମେ ଉଠୁ ଥିଲ ପ୍ରେମରେ ଚେଇଁ ।
ସଂଗୀତ ମୁଖର ତୁମର ଭାଷା
ସେ ମଧୁ ରସରେ ଲିଭେ ମୋ ତୃଷା ।
ଲିଭିଛି ଜ୍ୟେଷ୍ଠର ଉତ୍ତାପ ଭାବ
ଧରଣୀ ବୁକୁରେ ଶୀତଳ ଲାଭ ।
ଫେରି ଆସ ପ୍ରିୟା ମାନ ନ କର
ଗଢିବା ସ୍ମୃତିରେ ସ୍ଵଚ୍ଛ ସଂସାର ।
ବରଷା ଋତୁର ଆଷାଢ଼ ମାସ
ମନରୁ ଲିଭାଏ ସବୁ ଉଦାସ ।
ସ୍ମୃତି ଦୋଳି ଏକ ଦେଲି ଲଗାଇ
ଦେଖ ପ୍ରିୟା ଥରେ ଚିତ୍ତ ଲଗାଇ ।
ତୁମରି ପ୍ରତିମା ଛବିକୁ ଧରି
ସ୍ମୃତି ରୂପେ ତାକୁ ନିଏ ଆଦରି ।