STORYMIRROR

SUJATA MISHRA

Romance Fantasy

4  

SUJATA MISHRA

Romance Fantasy

ସ୍ମୃତି ଫଗୁଣର ଛୁଆଁ

ସ୍ମୃତି ଫଗୁଣର ଛୁଆଁ

1 min
288

ଫଗୁଣକୁ ଛାଡ଼ି ଆସିଲି କି

ଶିମୁଳି ଫୁଲର ରକ୍ତିମ ଶିହରଣେ,

ଚଲା ପଥେ ଥିବା କୃଶାଙ୍ଗୀ ନଈର

ଭିଜା ବାଲିର ସୋପାନେ,

ବଉଳ ବାସ୍ନାରେ ବାଉଳା ସମୀରଣେ !


ଏକାଠି ଏକଦା ଚାଲୁ ଥିଲେ ବାଟ

ସ୍ବପ୍ନ ପାଖୁଡ଼ାରେ ସଜେଇ ପଣତ ଆମ,

ନୀଳ ଆକାଶରେ ଦେଖୁଥିଲେ କେବେ

ଭସା ବାଦଲର ମୀନାର କେବେ ବା

ଜହ୍ନର ଜରି କାମ,

ଛାଇ ଆଲୁଅର ଜୀବନରେ ନେଇ

କିଛି ଭ୍ରମ,କିଛି ପ୍ରେମ !


କାଶତଣ୍ଡିର କୋମଳ ପଣରେ

ଲେଖା ହେଉଥିଲା ଚିଠି,

କାକର ଟୋପାରେ ଝୁଲୁଥିଲା ନିବିଡ଼ତା,

ପରସ୍ତ ପରସ୍ତ କୁହୁଡ଼ି ଭିତରୁ

ଛାଣି ଆଣୁ ଥିଲେ ମୁଠାଏ ଆଲୁଅ,

ଜହ୍ନ ରାତିରେ ଛୁଇଁ ଆମ ମନ

ଝରି ଯାଉଥିଲା ଶେଫାଳୀର

ପବିତ୍ରତା !


ସେ ଦିନର କଥା ଅତୀତ ହେଲାଣି ଆଜି

ଭାବନାର ଢେଉ ଏବେ ବି ଭିଜେଇ ଦିଏ ମନ ଝାଉଁ ବଣ,

ହଜେଇ ଆସିଛି ସତେ କି ସେଇଠି

କୋଇଲିର କୁହୁ ତାନ,

ନିଝୁମ୍ ରାତିରେ କଇଁ ପାଖୁଡ଼ାରେ

ଶୋଇ ଯାଇଛି କି

ମଧୁ ବୋଳା ମୋ ଫଗୁଣ !


ଭଲ ପାଇବାର ଟୋପାଏ ଭାଷା

ମୋ ନୀରବତା ସାକ୍ଷୀ ତାର,

ମିଳି ମିଶି କେବେ ତୋଳି ଥିଲେ

ଆମେ ବନ୍ଧୁତାର ବାଲି ଘର,

ଆଜି ବି ଲାଗେ ସେ ହଜିଲା ମୁହୂର୍ତ୍ତ ଅତି ନିଜର ନିଜର,

ଭିଜା ଭିଜା ସ୍ନେହ

ଖୋଜା ଖୋଜା ଆଖି

ମଧୁର ସ୍ମୃତି ବିଭୋର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance