ସ୍ମୃତି ନଦୀ ତୀରେ
ସ୍ମୃତି ନଦୀ ତୀରେ
ପ୍ରତୀଚୀର ସୂର୍ଯ୍ୟ ଡୁବି ଯାଇଅଛି
ଦୂର ଦିଗ୍ ବଳୟ ପର୍ବତ ଛୁଇଁ ,
ସାଗରର ଢେଉ ଅମାନିଆ ହୋଇ
ସୀମାଲଙ୍ଘେ ନୀଳ ବକ୍ଷକୁ ଡେଇଁ।
ମନର ଛବିକୁ କାନ୍ ଭାସ୍ ତଳେ
ଆଙ୍କିବା ହେଉନି ଆଉ ସହଜ ,
ବସନ୍ତ ଯାଇଛି ସ୍ମୃତିକୁ ଖୋଜିଛି
ଝାପସା ଦିଶୁଛି ସ୍ୱପ୍ନ ରାଇଜ ।
ବସନ୍ତରେ ସବୁ ପତ୍ରଝଡ଼ା ଦେଇ
ନୂଆ ପତରବି ହେଉଛି ସଜ ,
ସମୟ ସହିତ ଋତୁ ବଦଳିଛି
ନିରସ ଜୀବନ ଲାଗଇ ତୁଚ୍ଛ ।
ଇଚ୍ଛା ମରିଯାଏ ଊଷର ମରୁରେ
ମନ ଅମାନିଆ ବୋଲ ମାନେନା ,
ଅକୁହା କାହାଣୀ କାଗଜେ ଉତ୍ତାରେ
ହୃଦୟ ବେଦନା କିଏ ଜାଣେନା ।
ସ୍ମୃତିର ବକ୍ଷରେ ଅଲିଭା ଅକ୍ଷରେ
ରହି ରହି ବହେ ଅଭୂଲା କ୍ଷତ ,
ମଧୁର ମୁହୂର୍ତ୍ତ କେତେ ଅଶ୍ରୁସିକ୍ତ
ଝରି ଝରି ଝରେ ସେ ଅବିରତ ।
ବେଦନାରେ ଭରା ସେହି ସ୍ମୃତି ପରା
ଚାହିଁଲେ ବି କେବେ ଭୁଲି ହୁଏନି ,
ଯେତେ ଝରାଇଲେ ଆଖି ଲୁହ ତଳେ
ବିଶ୍ବାସଟା କିନ୍ତୁ ଧରା ଦିଏନି ।
ଅହଙ୍କାର ଯା'ର ହୃଦୟରେ ଘର
ଆବେଗର ଭାଷା ସେ ବୁଝେନାହିଁ ,
ସ୍ମୃତି ନଦୀତୀରେ ଯେତେ ଭସାଇଲେ
ପଛେ ପଛେ ପୁଣି ଆସଇ ଧାଇଁ ।
ଅଛି ସେହି ନଦୀ ଅଛିବି ଶ୍ମଶାନ
ଦହକି ଉଠଇ ପାଉଁଶ ନିଆଁ ,
ଯେତେ ଢାଳିଲେବି ପାଉଁଶରେ ପାଣି
ମନେପଡ଼ି ପୁଣି ଲାଗେ ଛାନିଆଁ ।
ଦ୍ଵନ୍ଦଭରା ମନ ନୀରବରେ ଲେଖେ
କଳ୍ପନା କୁଣ୍ଡଳି ଭିତରେ ହଜି ,
ଜାଣେନା ବଢ଼ିବ ଆଗକୁ ଅବା ସେ
ଫେରିବ ପଛକୁ ସ୍ମୃତିକୁ ଖୋଜି ।
ସ୍ମୃତିତ ରହିବ ବଞ୍ଚିଥିବା ଯାଏ
ଚାଲୁଛି ଚାଲିବ ଜୀବନ ସହ ,
ପୃଷ୍ଠା ଓଲେଟେଇ ଦେଖୁଥିବି ଖାଲି
ବଞ୍ଚିଥିବା ଯାଏ ଟାଣିବ ମୋହ ।
ସମୟ ସହିତ ବଦଳେ ମନୁଷ୍ୟ
ଲିଭିଯାଏ ନାହିଁ ଅଭୂଲା ସ୍ମୃତି ,
ଘୃଣାରେବି ନୁହେଁ ଯଥେଷ୍ଟ ସମ୍ମାନେ
ଲେଖି ରଖିଅଛି ଜୀବନ ଗୀତି ।
