STORYMIRROR

Satyabati Swain

Tragedy

4  

Satyabati Swain

Tragedy

ସଳିତା ଜଳୁଛି ଖାଲି

ସଳିତା ଜଳୁଛି ଖାଲି

1 min
21


ହାଟ ସରିଯାଏ ସରେନା ସଉଦା

    ସନ୍ଧ୍ୟା ଘଣ୍ଟି ବାଜିଲାଣି

ଅନ୍ଧାରକଣା ବାଟ ବଣା ହୋଇ

    ଫେରିବା ବାଟ ପାଉନି।


ଲମ୍ବା ତାଲିକାଟେ ଧରି ଆସି ଥିଲି 

  ସଉଦା କରିବି ବୋଲି

ଅଣ୍ଟିରୁ ପଇସା ସରିଗଲା ସିନା

  ବ୍ୟାଗ୍ ପୁରିଲାନି ମୋ'ରି।


ହତାଶ ବତାସ ଡରେଇ ଦେଉଛି

   ଫେରନ୍ତା ବାଟ ଭୁଲାଇ

ପ୍ରତିଷ୍ଠା ପ୍ରଭୁତ୍ୱ ପଛରେ ଗୋଡ଼ାଇ

   ପୁଳେ ଅଶାନ୍ତି କିଣଇ।


ଆସିଥିଲା ବେଳେ ଖାଲି ଆସିଥିଲି

   ଯିବା ବେଳେ ଯିବି ଏକା

ସବୁ ଜାଣି ଶୁଣି ମାୟା ମୃଗ ପଛେ

   ଧାଇଁ ଖାଇଲି ମୁଁ ଧୋକା।


ଉଲ୍ଲସିତ ହୋଇ ସଂସାର ସାଗରେ

   ନଉକା ମୋ ବାହି ଦେଲି

ଇନ୍ଦର ଚନ୍ଦର ବେଖାତିରି କରି

   ଧରାକୁ ସରା ମଣିଲି।


ବୟସ ଅୟସେ ମଝି ସମୁଦ୍ରକୁ

  ନିମିଷେ ନେଲି ନଉକା

ସାମୁଦ୍ରିକ ଝଡେ ଜୁଆର ତୋଡରେ

   ଭାସୁଅଛି ଏକା ଏକା।


ମାୟା ମୋହରେ ମୋର ମୋର କହି

   କେତେ ଭୁଲ୍ କରିଦେଲି

ନିଜ ସୁଖ ପାଖେ ଆନ ମଣିଷର

    ସୁଖ କଥା ନ ଭାବିଲି।


ମୁଁ କେବଳ ହେବି ମୋ ପିଲା ହେବେ

    ଏଇ ସ୍ୱାର୍ଥ ଗ୍ରାସ କଲା

କା'ର ତଣ୍ଟି କାଟି କା'ରେ ଦଳି ଦେଇ

   ଆୟୁଷ ଟି ସରିଗଲା।


ଆୟୁର ଦୀପରୁ ତୈଳ ସରି ଆସେ

    ସଳିତା ଜଳୁଛି ଖାଲି

ଲିଭିଯିବ ଯେବେ ଅନ୍ଧାର ଘୋଟିବ

  କେମିତି ହେବି ମୁଁ ପାରି !!


ସଂସାର ସାଗର ଡଙ୍ଗା ନାଉରିଆ

   କରି ଦେ କରି ଦେ ପାରି

ସପନ ସଉଦା ରହୁ ପଛେ ଅଧା

   ଲୋଡ଼ା ନାହିଁ କିଛି ଶିରୀ।


ବାର୍ଦ୍ଧକ୍ୟରେ ପଡ଼ି ଛାଡିବାକୁ ରଡି

    ଯମ ଯନ୍ତ୍ରଣା ନ ଦେଇ

ଭଵ ସାଗରୁ ପାରି କରି ଦେ ଭଲେ

    କୂଳରେ ନାଆ ଲଗାଇ।।


Rate this content
Log in

Similar oriya poem from Tragedy