ଲୋତକ
ଲୋତକ
ନୀରବ ଶିଷ୍ପ୍ରଭ ଓଠର
ଅସଂଖ୍ୟ ଅକୁହା ଗାଥା
ହୃଦୟ କୁଞ୍ଜବନ ରୁ
ଭାସି ଆସୁଥିବା ଭାଷା
ନିର୍ମଳ ଜଳ ବିନ୍ଦୁ ଟିଏ
ସେ ତ ଲୋତକ l
ମନପକ୍ଷୀର ଅକୁହା ପ୍ରତିଧ୍ୱନି
ଅମାନିଆ ସେ ବିରହିଣୀ
ଧାରାଶ୍ରାବଣରେ ଝଙ୍କୃତ ରାଗିଣୀ
ବର୍ଷାର ମିଠାମିଠା ଚାହାଣୀ
ନିର୍ମଳ ଜଳ ବିନ୍ଦୁ ଟିଏ
ସେ ତ ଲୋତକ l
ଅତୃପ୍ତ ପ୍ରାଣକୁ ଦେଇଥାଏ ସାନ୍ତ୍ୱନା
କୁଳୁକୁଳୁଛନ୍ଦେ ବହୁଥିବା ଝରଣା
ସପନ ରାଜନଅରେ ଝଲମଲ ଅଗଣା
ହୃଦ ଶିଳାଲିପିରେ ଖୋଦିତ ଯନ୍ତ୍ରଣା
ନିର୍ମଳ ଜଳବିନ୍ଦୁ ଟିଏ
ସେ ତ ଲୋତକ l
ନୟନ କୋଣୁ ଝରୁଥାଏ
ହୋଇ ସେ ଆନମନl
ଉଷୁମ ସ୍ପର୍ଶେ ଦେଇ ଆଶ୍ବସନା
କେବେ ଖୁସି କେବେ ବେଦନା
ନିର୍ମଳ ଜଳବିନ୍ଦୁ ଟିଏ
ସେ ତ ଲୋତକ l
