STORYMIRROR

Pranati prabha Rout

Tragedy Inspirational

3  

Pranati prabha Rout

Tragedy Inspirational

ଶାଶୁଘରୀ କନ୍ୟା

ଶାଶୁଘରୀ କନ୍ୟା

1 min
153


ଭାରି ରାଗ ଲାଗେ ଆହେ ସ୍ରଷ୍ଟା ତୁମ ଠାରେ

ଯେତେବେଳେ କନିଆଁଟି ଯାଏ ଶାଶୁଘରେ

ସାତ ଶତ୍ରୁ ହେଉ ପଛେ ଛାତି ପଡେ ଫାଟି 

ଶାଶୁଘରୀ କନ୍ୟା ଲୁହ ବନ୍ୟାଧାର ଛୁଟି।

ସବାରୀ ଉଠଇ ତାର କୋକେଇ ଉଠଇ

ବାପଘରୁ କନ୍ୟାଟିର ବନ୍ଧନ ତୁଟଇ 

ଆଦି କାଳୁ ଏ ବିଧାନ କାହିଁ ସୃଷ୍ଟି କଲ?

କେଡେ ନିଷ୍ଠୁର ନିୟମେ ତାକୁ ଛନ୍ଦି ଦେଲ,?

ପୁତ୍ର ବୋଲି ନିଜ ଘରେ ଅୟସେ ରହିବ

କନ୍ୟା ବୋଲି ପର ଘରେ ଜୀବନ କାଟିବ

ବାପଘରେ "ପରଘରୀ ପର ଅମାନତ"

ଶାଶୁଘରେ "ପରଝିଅ" ତେବେ କାହା ସେ ତ ?

ବାପ ଘରେ ଗେହ୍ଲା,ଫୁଲ୍ମଫୁଲ୍ଲା, କୋଳାହଳ 

ଶାଶୁଘରେ ଡର, ଭୟ,କର୍ତ୍ତବ୍ୟ ଜଂଜାଳ

ହସରେ କାଇଦା ପୁଣି ଲୁହେ କଟକଣା

ବୋଲିରେ ସଂସ୍କାର ପୁଣି ଚାଲିରେ ଷଣ୍ଠଣା ।

ଯାହାର ମନ ନ ନେବ ତାହାର ଦରଜ

ଦରଜ ବହିର୍ଯ୍ୟ ପୁଣି ନୁହଇଁ ସହଜ

ଯା'ର ହସକୁଦେ ଗାଆଁ ଦାଣ୍ଡ ଫାଟୁଥିବ 

ହସ ହାରିକି ତା' ପାଇଁ ସପନ ହୋଇବ ।

ଯେତେ ଫୁଟେଇ ପାରିବ ହସ ଚାପି ଲୁହ 

ଯେତେ ଶିଝେଇ ପାରିବ ବିଦଗ୍ଧ ହୃଦୟ 

ଟୋପେ ସିନ୍ଦୁର ଦି'ପଟ ଶଙ୍ଖା ତା' ଜୀବନ 

ଓଲଟାଇ ଦେଇଥାଏ ସୁନାର ସପନ ।

ପତର ତଳେ ନାଇଁତ ପଥରର ତଳେ

କେଉଁଠି ପକାଏ ଭାଗ୍ୟ ଆକାଶେ ପାତାଳେ

ନିଜ ଲୋକ ହୋନ୍ତି ପର, ପର ଆପଣାର

ବାପା ବୋଉ ସାତ ପର, ତେର ନଈ ଦୂର ।

ହୋମ ଯୁଇରେ ଜଳାଇ ବାଲିଘର ସ୍ମୃତି

ବାପରାଣେ ଢ଼ିଙ୍କି ଗିଳେ ପୋଛି ନିଜ ସ୍ଥିତି

ନିଜ ଇଛା, ଭାବନାକୁ ହୃଦୟେ ସମାଧି

ଦେଇ ଜିତି ଥାଏ କେତେ ହୃଦୟ ପରିଧି ।

କେବେ ଅଗ୍ନି ପରୀକ୍ଷା ତ କେବେ ରୌଦ୍ରଶିଖା 

ମଥାପାତି ସହିବାକୁ ହୁଏ ତାକୁ ଏକା 

ଅଲିଅଳି ଫୁଲ ହୁଏ ପାହାଡ଼ଠୁ ଶକ୍ତ

ନିଜେ ଜଳି ସଂସାର କରଇ ଆଲୋକିତ ।

ତଥାପି ସେ ତ୍ୟାଗ, ତିତିକ୍ଷା, ସେବା, ଧୈର୍ଯ୍ୟର 

ଦେବୀଟିଏ ପାଲଟି ଯାଏ ସତ୍ୟ,ଶାନ୍ତିର

ଶକ୍ତିସ୍ୱରୂପିଣୀ ସିଏ ଜାୟାରୁ ଜନନୀ

ଛାତିରେ ତା' ସୀମାହୀନ ବସୁଧା ରାଗିଣୀ ।

ପ୍ରେମ ତାର ପବିତ୍ରତା ମମତା ମଧୁର

ସ୍ନେହ ତା'ର ଅନାବିଳ ଜହ୍ନଠୁ ଶୀତଳ

ତା' ପାଇଁ ସିନା ମଧୁର ଏ ସାରା ସଂସାର

ହେ ସ୍ରଷ୍ଟା ସେ ସୃଷ୍ଟିକୁ ତୁମ ମୋ ନମସ୍କାର ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy