ସିନ୍ଦୁର
ସିନ୍ଦୁର
ଦୁଇଟି ମନର ଆବେଗିକ ଛନ୍ଦ
ପୁତ ପବିତ୍ର ତା ଅପୂର୍ବ ଆଭା
ଅଙ୍ଗୀକାରେ ବଦ୍ଧ ସୋହାଗ ସିନ୍ଦୁର
ବଢାଏ ନାରୀ ର ଜୀବନ ଶୋଭା ।
ସିନ୍ଥିର ସିନ୍ଦୁର ଅଭୟ ଦାୟିନୀ
କର୍ତ୍ତବ୍ୟ ନିର୍ବାହ ସଲୀଳ ସିନ୍ଧୁ
ମଥାରେ ତା ସ୍ଥାନ ଚିର ମହୀୟାନ
ସତେ କି ଉଇଁଛି ସୋହାଗ ଇନ୍ଦୁ ।
ବିଶ୍ୱାସର ସେତୁ ମଳୟ ର ଋତୁ
ଦାମ୍ପତ୍ୟର ମୁଗ୍ଧ ସଲୀଳ ସ୍ରୋତ
ଅପରୂପ ବିଭା ଶ୍ରଦ୍ଧା ର ସ୍ୱରୂପା
ପ୍ରୀତି ସୁଗନ୍ଧା ସେ ହୁଏ ଶତତ | ,
ଟୋପାଏ ସିନ୍ଦୁର କରିଦିଏ ପର
ଶୈଶବର ଯେତେ ସ୍ନେହ ସୋହାଗ
ଅଜଣା ଙ୍କୁ କରେ ସବୁ ଠୁ ନିଜର
ବନିତା କୁ କରିଦିଏ ମହାର୍ଘ ।
ଟୋପେ ସିନ୍ଦୁରରେ ଚରିତ୍ର ବଦଳେ
ଅବୁଝା ହୁଅଇ ପ୍ରେରଣା ଦାତ୍ରୀ
ସିନ୍ଥି ର ସିନ୍ଦୁର ଭରସାର ମନ୍ତ୍ର
ପୁତ ପବିତ୍ର ସେ ମନ୍ତ୍ର ଗାୟତ୍ରୀ ।
ବନିତାରୁ ବଧୁ ସ୍ୱୀକୃତିର ମନ୍ତ୍ର
ଅନୁରାଗ ଭରା ଭକ୍ତି ବନ୍ଦନା
ବ୍ୟକ୍ତିତ୍ଵ ବିଭାର ସୁନ୍ଦର ଝଲକ
ନାରୀ ଜୀବନ ଅମୂଲ୍ୟ ଗହଣା ।
ଟୋପାଏ ସିନ୍ଦୁର ପୁତ ତ୍ୟାଗ ମନ୍ତ୍ର
ଅସରା ସୁଖର ସ୍ନିଗ୍ଧ ଝରଣା
ଦୁଃଖକୁ କରାଏ ଚିର ସଙ୍କୁଚିତ
ଶିଖାଇ ଦିଏ ସେ ଘର କରଣା ।
ବୈଦିକ ମନ୍ତ୍ରର ଅମୂଲ୍ୟ ତତ୍ତ୍ଵରେ
ପ୍ରୀତିର ଗୀତିକା ଶୁଣାଇ ଦିଏ
ପର ଆପଣାର ଭାବ ଦଗ୍ଧ କରେ
ପ୍ରୀତି ସୋହାଗିନୀ ହୋଇ ଯେ ଯାଏ ।
ସିନ୍ଦୁର ତତ୍ତ୍ଵରେ ମନ୍ଦିର ଆଳତୀ
ନାରୀ ଜୀବନର ପୁଣ୍ୟ ସଂଗୀତ
ଭରସା ପାହାଚ ସେ ରକ୍ଷା କବଚ
ବେଦ ମନ୍ତ୍ରେ ସେ ଯେ ପୁତ ପବିତ୍ର ।
ମହାମିଳନର ଆଦ୍ୟ ଓଁ କାର ସେ
ପ୍ରଣୟର ଧାରା ଦିବ୍ୟ ତା କାନ୍ତି
କର୍ମର ଟିପ୍ପଣୀ ଅବିଭକ୍ତ ବାଣୀ
ଦାମ୍ପତ୍ୟ ପ୍ରେମର ସୁ-ଅଭିବ୍ୟକ୍ତି ।
ମନ ଚେତନାର ଦିଗ୍ ଦ୍ରଷ୍ଟା ସାଜଇ
ମନ ମାନସକୁ ରଙ୍ଗାଇ ଦିଏ
ମଥାର ସିନ୍ଦୁର ଦୁଇପଟ ଶଙ୍ଖା
କର୍ତ୍ତବ୍ୟର ଦିବ୍ୟ ଗୀତାକୁ ଗାଏ ।
ସିନ୍ଦୁର ବଳୟ ଆରକ୍ଷ ନିଳୟ
କୁ-ଦୃଷ୍ଟିର ସେ ଯେ ରକ୍ଷା କବଚ଼
ଅର୍ଚ୍ଚନା ରେ ମତି ହୁଏ ସେ ଯେ ସତୀ
ଲକ୍ଷ୍ୟ ତା ମହାନ ଉରୁଜା ଉଚ୍ଚ ।
ପ୍ରକୃତିର ପଟ୍ଟ ବଦଳାଇ ଦିଏ
ତତ୍ତ୍ଵ ଗ୍ରନ୍ଥ ପଟ୍ଟେ ମହତ୍ତ୍ଵ ଲେଖା
ସିନ୍ଦୁର କି ନେଇ ଶେଷ ଯବନିକା
ନାରୀ ନ କରଇ ପାଉଣା ଭିକ୍ଷା |
ଚ଼ିନ୍ତା ଅନୁଚିନ୍ତା ପ୍ରତି ପାଖୁଡାରେ
ସଧବା ସୋହାଗ ସିନ୍ଦୁର ଯୋଡ଼ା
ସିନ୍ଦୁର ସୋହାଗ ପ୍ରଣୟ ର ରାଗ
ଦଃଖରେ ସୁଖ ରେ ହୁଅଇ ଛିଡ଼ା ।
ସିନ୍ଦୁର ତୋଳଇ ବିଧୁର ମଧୁର
ମିଶ୍ରିତ ରାଗର ଅପୂର୍ବ ଛନ୍ଦ
ମହତ୍ତ୍ୱ ତାହାର ସୁଦୂର ପ୍ରସାରୀ
ପୂଜା ପାର୍ବଣର ପୂତ ସନନ୍ଦ ।
