STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ବିରହ ନିଆଁରେ ଜଳୁଛି ଆଜି

ବିରହ ନିଆଁରେ ଜଳୁଛି ଆଜି

2 mins
13


ନୀଳ ଆକାଶରେ ଚନ୍ଦ୍ରମା ଯେବେ
କଇଁକୁ ନିରେଖୁ ଥାଏ
ମୋ ମନ ଆକାଶେ ତୁମ ପ୍ରତିଛବି
ଦାଉ ଦାଉ ଜଳିଯାଏ । ୧


ମୋ ଘର ଅଗଣା ଦାଣ୍ଡ ଦୁଆରରେ
ତୁମ ହାତ ସ୍ପର୍ଶ ଖୋଜେ
ମୋ ମାଟି କାନ୍ଥଟା ଖାଲି ଖାଲି ଦିଶେ
ମଗୁଶିର ଯେବେ ସାଜେ । ୨


ମୋ ରୋଷେଇ ଘର ବାଟ ଦେଇ ଗଲେ
ରୁଣୁ ଝୁଣୁ ଶବ୍ଦ ଶୁଭେ
ବିରହ ନିଆଁ ଯେ ଜଳାଇ ମାରୁଛି
ତୁମ କଥା ବସି ଭାବେ ।୩


ହୋମ ନିଆଁ ଦିନେ ମନ ଯୋଡ଼ି ଥିଲା
ଆଜି ମନେ ଜଳେ ଜୁଇ
ଏକା ବସି ଯେବେ କବିତା ଲେଖଇ
ତୁମ କଥା ଭାବୁ ଥାଇ ।୪


ଜୀବନ ଯୋଡ଼ିବା ମନ୍ତ୍ର ଆଜି ସ୍ତବ୍ଧ
ପର୍ବ ପର୍ବାଣୀ ନିସ୍ପୃହ
ଗହଳ ଭିତରେ ମୋ ମନ ଜଳଇ
ଅଦେଖା ମନର କୋହ ।୫


ତୁଳସୀ ଚଉରା ସଞ୍ଜବତୀ ଜଳେ
ଶୁଭେ ହୁଳହୁଳି ଶବ୍ଦ
ସନ୍ଧ୍ୟା ଆଳତୀର ଶଙ୍ଖ ଧ୍ବନୀ କହେ
ତୁମ ପ୍ରୀତି ସ୍ମୃତି ଅଦ୍ଦ | ୬


ମାଆ ଶେଯ ଧାର ନିମୁବ୍ଧ ଗମ୍ଭୀର
ସତେ ଖୋଜୁଅଛ  ସ୍ପର୍ଶ
ମୋ ମନ ଗହନ ବିରହ ଜ୍ୱାଳାକୁ
ଅନୁଭବି ପାଏ କ୍ଳେଶ । ୭


ବିରହ ନିଆଁରେ ଜଳୁଛି ଆଜି ମୁଁ
ସିନ୍ଧୁକେ ସ୍ମୃତିକୁ ନେଇ
ତୁମେ ଫେରିବନି ଜଣିଅଛି ସିନା
ବିରହେ କାହିଁ ଜଳଇ ! ୮


ପ୍ରତିଟି ମୁହୂର୍ତ୍ତ ତୁମ ଉପଲବ୍ଧି
ମନରେ ବିରହ ନିଆଁ
ଏକା ଛାଡ଼ି କରି ଯାଇଅଛି ବୋଲି
ବିଶ୍ୱାସ ହୁଏନି ଜମା ।୯


ସକାଳ ପହରୁ ଶୋଇବା ପର୍ଯ୍ୟନ୍ତ
ଖାଲି ତୁମେ ଆଉ ତୁମେ
ବିରହ ବେଦନା କରେ ଆନମନା
ତୁମ 'ତୁମେ' ଡାକେ ଭ୍ରମେ । ୧୦


ବିରହ ନିଆଁରେ ଜଳି ଜଳି ଆଜି
ତୁମ ପ୍ରେମ ଦରାଣ୍ଡୁଛି
ଉପସ୍ଥିତି ସିନା ସୁଖ ଦେଇ ଗଲା
ଅନୁପସ୍ଥିତି ଜାଳୁଛି । ୧୧


ତୁମ ମୂଲ୍ୟ ଆଜି ଖୋଜି ବସିଛି ମୁଁ
ବିରହ ନଦୀର ଧାରେ
ବେଦନା ବିଧୁର ବିରହୀ ମନରୁ
ନିଃଶବ୍ଦ କାନ୍ଦଣା ଝରେ I୧୨


ବିରହ ନିଆଁରେ ଜଳୁଛି ସିନା ମୁଁ
ସ୍କୃତି ତ ପୋଡ଼ି ପାରେନା
ସେ ଜ୍ଵଳନ କାନ୍ଥେ ତୁମ ହସ୍ତଲିପି
ପ୍ରୀତିର ମୋତି ଝରଣା ।୧୩


ତୁମେ ଫେରିବନି ଜାଣିଛି ଏ ମନ
ତଥାପି ଜ୍ବଳନ ଭରେ
ଏଡାଇ ପାରେନି ସ୍ମୃତି ସ୍ଵରଲିପି
ତୁମ ପାଇଁ ମନ ଝୁରେ ।୧୪



Rate this content
Log in

Similar oriya poem from Tragedy