ମୋହରି ହୃଦୟେ ତୁମେ
ମୋହରି ହୃଦୟେ ତୁମେ
ହୃଦୟ କାନ୍ଥର ଶିଳା ବୁକୁ ପରେ
ତୁମ ନାମ ଲିପି ଲେଖା
ମୋର ହୃଦୟର ଗରଭ ଗୃହର
ସ୍ପନ୍ଦନରେ ତୁମ ଶିଖା ।୧
ମୋର ହୃଦୟର ପ୍ରତିଟି ଅଳିନ୍ଦ
ତୁମରି ସ୍ଵରରେ ସିକ୍ତ
ହୃଦ ବାରଣ୍ଡାର ମାଟି ଲିପା କାନ୍ଥେ
ତୁମ ନାମ ଯେ ଲିଖିତ । ୨
ତୁମରି ସ୍ଵରର ମଧୁ ମୂର୍ଚ୍ଛନା ରେ
ହୃଦ ମୋର ରୋମାଞ୍ଚିତ
ତୁମ ଅନୁଭବ ପ୍ରୀତି ପରଶରେ
ମୁଁ ଯେ ସଦା ପ୍ରଫୁଲ୍ଲିତ ।୩
ତୁମେ ମୋ ମନର ଚେତନା ରାଜ୍ୟରେ
ଅଟ ଅଖଣ୍ଡ ପ୍ରଦୀପ
ସେ ପ୍ରଦୀପ ଶିଖା ଦିଏ ମୋତେ ଦୀକ୍ଷା
ରଖେ ତୁମରି ସମୀପ |୪
ତୁମେ ମୋ କାୟାର ସ୍ଵର୍ଣ୍ଣାଭ କିରଣ
ତୁମେ ପ୍ରାଣର ଆଧାର
ତୁମ ବିନା ସବୁ ଶୂନ୍ୟ ଶୂନ୍ୟ ଲାଗେ
ତୁମେ ମୋ ପୂଜା ମନ୍ଦିର ।୫
ତୁମେ ମୋ ହୃଦର ଛୋଟ ଅଳୀନ୍ଦ କୁ
ଭର ବିଶାଳତା ଗୁଣେ
ମୋ ହୃଦ ମନ୍ଦିର ବାସେ ମହ ମହ
ତୁମରି ସୁଗନ୍ଧ ଦାନେ ।୬
ମୋ ହୃଦ ବାରଣ୍ଡା ହସୁଥାଏ ପରା
ତୁମରି ମୃଦୁ ପରଶେ
ଏ ଆଖି ଦେଖଇ ଯାହା ଦୁନିଆରେ
ତୁମରି ପରଶେ ହସେ ।୭
ମନରେ ଶୂନ୍ୟରେ ଏ ଧରା ବକ୍ଷରେ
ତୁମ ଦାନ ଦେଖି ହସେ
ମୋ ଭିତରେ ଅଛ ଶାନ୍ତ କାନ୍ତ ହୋଇ
କର୍ମ ନଦୀ ତୀରେ ବସେ । ୮
ମୋ ହୃଦୟ ରହି ଭରସା ବିଶ୍ୱାସେ
ଚାଲିବା ତ ଶିଖାଇଛ
ଝୁଣ୍ଟି ପଡ଼ି ପୁଣି ଉଠି ଚାଲିବାକୁ
ତୁମେ ଇସାରା କରିଛ ।୯
ମୋର ହୃଦୟରେ ବିରାଜିତ ତୁମେ
ମୋ ଅନୁଭବେ ରଞ୍ଜିତ
ତୁମକୁ ଛାଡ଼ିଲେ ହୃଦ ହୃଦ ନୁହେଁ
ସେ ହେବ ଶିଳା ସଙ୍କେତ | ୧୦
ମୋ ହୃଦ ମନ୍ଦିରେ ରହିଅଛ ବୋଲି
ସବୁକୁ ସାମ୍ନା କରୁଛି
ଭଲ ମନ୍ଦ ସବୁ ସମାନ ମୋ ପାଇଁ
ସମ ଭାବେ ରହୁଅଛି । ୧୧
ମୋ ହୃଦ ମନ୍ଦିରେ ଏଇମିତି ଥାଅ
ଶ୍ମଶାନ ଯିବା ପର୍ଯ୍ୟନ୍ତ
ତୁମେ ମୋ ହୃଦର ଚାରୁ ଚିତ୍ରଶାଳା
ମୋ ମନ ସଜାଉ ଥାଅ । ୧୨
ତୁମରି ସ୍ପର୍ଶରେ ରୋମାଞ୍ଚିତ ହୁଏ
ସ୍ପନ୍ଦିତ ହେଉ ମୋ ହୃଦ
ହୃଦୟ ରେ ରହି ମୋ ମନ ମାନସ
ପ୍ରୀତିମୟ କରୁଥାଅ । ୧୩
