ସିଏ ପରା ବୋଉ
ସିଏ ପରା ବୋଉ
ମକରାର ମନ ଅତି ଆନନ୍ଦିତ
ଗାଆଁ ରୁ ବୋଉ ଆସୁଛି
ମନ ଜାଣି ତାର ଆରିସା, କାକରା
ଏଣ୍ଡୁରି ପିଠା ଆଣୁଛି।
ବାଡ଼ି ବାଇଗଣ, ମୁଢି ମୁଆଁ ପୁଣି
ଉଖୁଡା ଓ ରାଶି ଲଡୁ
ଭାରି ଭଲ ଲାଗେ ବୋଉ ହାତରନ୍ଧା
ବାସୁଥାଏ ବାଢୁ ବାଢୁ।
ଘରଣୀକୁ ତାର ପିଜା ବରଗର
ଭାରି ସୁଆଦ ଲାଗଇ
ମକରାକୁ କିନ୍ତୁ ଘର ରନ୍ଧା ଖାଦ୍ୟ
ବଡ଼ ପସନ୍ଦ ଅଟଇ।
ଅପଲକ ନେତ୍ରେ ଚାହିଁ ରହିଥିଲା
ଆସିଗଲା ବୋଉ ତାର
ଯାହା ଆଣିଥିଲା ମକରା ନେଇକି
ରଖିଲା ଘର ଭିତର।
ଘରଣୀ ତାହାର ଦେଖିକରି ଏହା
ରାଗରେ ଜର୍ଜର ହୋଇ
କହିଲା ଏସବୁ କିଛି ଭଲ ନାହିଁ
ତୁମେ ତ ଖାଇବ ନାହିଁ।
ବାଇଗଣ ବଡି ଦେଲା ସେ ଫୋପାଡ଼ି
କହିଲା ଖାଇଲେ ୟାକୁ
ଦେହେ ରୋଗ ହେବ ଆଲର୍ଜି ହୋଇବ
ଯିବ ଡାକ୍ତର ଖାନାକୁ।
କେତେ ଯତନରେ ପୁଅ ପାଇଁ ବୋଉ
ଶରଧାରେ ଆଣିଥିଲା
ଉଗ୍ରଚଣ୍ଡୀ ବୋହୁ ଉଗ୍ର ରୂପ ଦେଖି
ଲାଜେ ଚୁପ ହୋଇଗଲା।
କାନି ପଣତରେ ଲୁହ ପୋଛୁଥିଲା
ମକରା ନିଜେ ଦେଖିଲା
ବୋଉକୁ କହିଲା ରୂପ ଦେଖି ତୁହି
ବୋହୁ କରିଥିଲୁ ପରା।
କାନ୍ଦୁଛୁ କାହିଁକି ଦଣ୍ଡ ମୁଁ ପାଉଛି
ସହୁଛି ନାନା ଯନ୍ତ୍ରଣା
ବୋଉ କହୁଥିଲା କାନ୍ଦିବି କାହିଁକି
ଏହା ତୋର ଭାଗ୍ୟ ସିନା।
ପିଠା ପଣା ସବୁ ଘରକୁ ଆଣିଲା
ମକରା କୁ ଖୋଇଦେଇ
ପାଣି ମନ୍ଦେ ପିଇ ଘର ବାରଣ୍ଡାରେ
ଲୁଗା ପାରି ଗଲା ଶୋଇ।
କାମ ବାଲି ଆସି ଦେଖିକରି ଏହା
ହୋଇଣ ଗଲା ବିସ୍ମିତ
କହିଲା ମାଉସୀ କାହିଁ ପାଇଁ ତୁମେ
ତଳେ ଶୋଇ ଯାଇଅଛ।
ଘରେ ପରା ଖଟ ଖାଲି ପଡ଼ିଅଛି
ଶୋଉଛ ତୁମେ ଏଠାରେ
ହସିକରି ବୋଉ କହୁଥିଲା ତାକୁ
ନିଦ ହେଲାନି ରାତିରେ।
ସେଥିପାଇଁ ପରା ସକାଳୁ ସକାଳୁ
ଏଠାରେ ମୁଁ ଶୋଇଥିଲି
ବୋହୁ ଆସି ଗୋଡ଼ ମୋଡିଦେଲା ମୋର
ନିଦରେ ମୁଁ ହଜିଗଲି।
ଏହି ସବୁ କଥା ଶୁଣିଣ ମକରା
ଆଶ୍ଚର୍ଯ୍ୟ ଯେ ହୋଇଗଲା
ବୋଉ ପରା ସିଏ ତା ପରି କେ ନୁହେଁ
ଈଶ୍ୱରଙ୍କୁ ଡାକୁଥିଲା।