ଶୂନ୍ୟତାର ଚାରିକାନ୍ଥ
ଶୂନ୍ୟତାର ଚାରିକାନ୍ଥ
ଉତକ୍ଷିପ୍ତ ଅନ୍ତରୁ, ନିର୍ଜନ ଅନ୍ଧାରେ, ଖାଲି ହାଏ ହାଏ ଶୁଭୁଥିଲା;
ଝରକା ବାହାରୁ ଜହ୍ନ ଯେବେ, ତାଚ୍ଛଲ୍ୟରେ କିରି କିରି ହସୁଥିଲା l
ଏ ଶୀତ ସଂଧ୍ୟାରେ, ଗରମ୍ ଚା’ର ଅପେକ୍ଷା କରିବା, ଭାରି ବାଧୁଥିଲା;
ରାସ୍ତା ଆରପଟ ଘର ଛାତ ଉପରକୁ, ଆଖି ବାରମ୍ବାର ଯାଇ ନିରାଶରେ ଫେରୁଥିଲା l
ସେ ପୁରୁଣା ଦିନର ଖିଏ ଖିଏ ସ୍ମୃତି ଆସି, ଚମକାଇ ଦେଇ ଯାଉଥିଲା,
କାଳେ ଆସି ଉଭା ହୋଇ ଯାଅନ୍ତକି ସାମନାରେ ଏ ମନ ଭାବୁଥିଲା l
ସେଦିନ ତୁମେ ଥିଲ, ମୁଁ ଥିଲି, ଆଉ ଏ ସାରା ସହର ନିଦେ ଶୋଇ ଯାଉଥିଲା,
ତୁମେ ଗପୁଥିଲ ଅନାବନା ତୁମ ଖିଆଲି ଭାବନାକୁ ଯୋଡି ଯାଡି, ମୁଁ ଶୁଣି ଯାଉଥିଲି l
ଏଇଠୁ ଆରମ୍ଭ ହୋଇଥିଲା ଦେଖା ଚାହାଁ, ଭଲ ପାଇବାର ମଂଜି, ଗଛ ହୋଇ ଯାଇଥିଲା ;
କିନ୍ତୁ ଦିନେ ଆସି ଅଦିନ ବତାସ, ତା'ର ସାଥେ ସେ ଗଛକୁ ଉଡ଼େଇ ତ ନେଇଗଲା l
ନିର୍ଜନତାରେ ମତେ ଛାଡିଦେଇ ଅନ୍ୟ କାହା ଉଦ୍ୟାନକୁ ଶୋଭାରେ ବଢାଇ ଦେଲା,
ଆୟତ ମନଟା ଇତସ୍ତତେ ବୁଲି ସେଇଦିନୁ ଦିଗହରା ହୋଇଗଲା l
ଛପି ରହିଥିବା ମନର କଥାକୁ, ଆଜି ଶୁଣନ୍ତିନି କେହି, ପ୍ରଗଳଭ୍ ପରାଏ ଏକା ଏକା ଗପି ଚାଲେ,
ଝରା ବର୍ଷା ବେଳେ ଖାତା ବହି ସବୁ ଭରି ଯାଉଛନ୍ତି ଅଭିମାନ ଭରା ଗୀତରେ l
ଏବେବି ଦୂରରୁ କିଛି ଫୁଲ ଗନ୍ଧ ଭାସିଆସି ଆଘ୍ରାଣରେ ଭରିଗଲେ,
ଲାଗେ ତୁମେ ଆସିଗଲ, ମୃଦୁ ହସ ଝଲକାଇ, ତୁମ ସରୁ ସରୁ ଓଠ ଧାରେ l