ଶୂନ୍ୟସ୍ଥାନ
ଶୂନ୍ୟସ୍ଥାନ
ଜୀବନ'ତ ପ୍ରଶ୍ନବାଚୀ ଏକ ଶୂନ୍ୟସ୍ଥାନ ,
ଶୂନ୍ୟତାକୁ ମାପୁ ମାପୁ ଯାଉ ଏ' ଜୀବନ ।
ବେସୁରା ସୁରରେ ଗାଏ ବିବର୍ଣ୍ଣ ଫଗୁଣ ,
ତଥାପି ତ ଭଲଲାଗେ ଅସରା ଶ୍ରାବଣ ।
ଶୁଖିଯାଉ ପଛେ ମଲ୍ଲୀମାଳ'ର ଗଜରା ,
ହୃଦୟରୁ ଝରିପଡୁ କୋହର ପସରା ।
ଆଶା ବାଲିଘରେ ଆଜି ଅତଡ଼ା ଖସୁଛି ,
ନୀରବ, ନିଥର ଓଠ ନୀରବେ କମ୍ପୁଛି ।
ତଥାପି'ତ ଏ ' ହୃଦୟ କାହା ପାଇଁ ଝୁରେ ,
ବଞ୍ଚିବାର ସର୍ତ୍ତ ପାଇଁ ସ୍ମୃତି ଚୈତ୍ୟରାରେ ।
ଆଶାହିଁ ତ' ଜୀବନର ବଞ୍ଚିବାର ଗୀତ ,
ସପନ ପାହାଚ ତଳେ ବିଶ୍ଵାସର ସ୍ରୋତ ।
ପ୍ରତାରଣା , ପ୍ରବଞ୍ଚନା ଲୁଚକାଳି ଖେଳ ,
କାହା ପାଇଁ ଅମୃତର ଅବା ବିଷ ଫଳ ।
ଆଶାର ପ୍ରତ୍ୟୁଷ ପରେ ସ୍ମୃତିର ତୁଠରେ ,
ଶିଉଳୀ ଲାଗଇ ସ୍ଵପ୍ନ ତୁଠ ପଥରରେ ।
ତଥାପି ଭାସେ ନଈରେ ସ୍ନେହ ରୂପୀ ଡଙ୍ଗା ,
ଜ୍ଵାଳା ଉପଶମ କରେ ଶୁଦ୍ଧମୟୀ ଗଙ୍ଗା ।
ବିଷାଦ କ୍ଷତରେ ବିଶ୍ବାସର ମଧୁବାଣୀ ,
କେହି ନଲଗାନ୍ତୁ ପଛେ ବିଶଲ୍ୟକରଣୀ ।
ସମ୍ପର୍କିତ ଖିଆଲିର ରେଶମୀ ଚାଦରେ
ଆସ୍ତରଣ ଘୋଡେଇବି କର୍ତ୍ତବ୍ୟ ଡୋରିରେ ।
