ଶୁଖିଲା ବରଡ଼ା
ଶୁଖିଲା ବରଡ଼ା
ପ୍ରଭୁ ପାଦତଳେ ମାନସିକ ଛଳେ
ଭାବୁଛି ଥରକୁ ଥରେ
ଜୀବନ ବି ତାର ସପନ ବି ତାର
ଝୁଲାରେ ଝୁଲୁଛେ ଫେରେ
ହାରିବା ଜିତିବା ବିଫଳତା ମୁଣ୍ଡିବା
ସବୁ ପରା ବିଭୁ କଲ୍ୟାଣ
ଲକ୍ଷ୍ୟ ବି ତାହାର ପନ୍ଥା ବି ତାହାର
ଦଣ୍ଡେ ନିମିଷେ ରହେନା ପ୍ରାଣ
ସରି ସରି ଯାଉଛି ଦୀପରୁ ତଇଳ
ବୟସ ସରୁଛି ହଲି ଦୋହଲି
ହାସ୍ୟରେ ଲାସ୍ୟରେ ଟାହି ଟାପରାରେ
କାହିଁକି ଭାବିବି ବିଫଳ ହେଲି
ନଇଁ ଚାଲିଲିଣି ସଂସାର ବୋଝରେ
ହାତ ଥରିଲାଣି ଗଣ୍ଠି ଫୁଲିଲାଣି
କର୍ମଫଳ ବଳେ ଦଣ୍ଡାଦେଶ ମିଳେ
କାହିଁକି ଭାବିବି କଷ୍ଟ ମିଳିଲାଣି
ଘରେ ହତାଦର ଗ୍ରାମେ ତିରସ୍କାର
ସେବା ଶୁଶ୍ରୁଷା ନ କହିବା ଭଲ
ଅନାଥର ନାଥ ତୁମେ ଶ୍ରୀଜଗନ୍ନାଥ
କିସ ପାଇଁ ଶୋକ କରିବି ମୂଲ
ଶୁଖିଲା ବରଡ଼ା ହେଲିଣି ଅଲୋଡ଼ା
ମଉଳା ଆଶାରେ ନାହିଁ ଉଚ୍ଛ୍ଵାସ
ପ୍ରଭୁ ପାଦତଳେ ପ୍ରଣତି ପଖାଳେ
କରୁଣା ବାରିରେ ଭରିବେ ଉଲ୍ଲାସ ।।
