ମୋ ବଗିଚାରେ ଚୁଳିଆ ବସା
ମୋ ବଗିଚାରେ ଚୁଳିଆ ବସା
କାଳିଆ କାଞ୍ଚିଆ ଚୁଳିଆ ଚଢେଇ
ଆସୁଥିଲେ ସାଥୀହେଇ,
ମୋ ବଗିଚାରେ ଏଗଛେ ସେଗଛେ
ଡେଉଁଥିଲେ ଖୁସି ପାଇ I
ସବୁରାତି ପାହି ସକାଳ ହୋଇଲେ
ଆସନ୍ତି ମୋ ବଗିଚାକୁ,
ବାତାୟନ ପଥେ ଭିତରକୁ ପଶି
ବୋବେଇ ଡାକନ୍ତି ଆମକୁ I
ତାଙ୍କ ରାବସ୍ୱର ଅତିହିଁ ମଧୁର
ମିଶେଟି ମୋଝିଅ ନାମକୁ,
ସାନଝିଅ ମିକି ଝପଟି ଉଠିକି
ତାଙ୍କ ପାଶେ ଧାଇଁଯାଏ,
ବିସ୍କୁଟ ଗୁଣ୍ଡ କରି ସେମାନଙ୍କୁ
ଦାଣ୍ଡରେ ଖାଇବା ଦିଏ I
ଭରଷାର ଆଣ୍ଟେ କୁନି କୁନି ଥଣ୍ଟେ
ଆନନ୍ଦରେ ସବୁ ଖାଇ,
ବାହୁଡ଼ି ଯାଆନ୍ତି ବଗିଚା ଗଛକୁ
ଆମେ ରହିଥାଉ ଚାହିଁ I
ବରଷା ସରିଲା ଶୀତବି ସରିଲା
ବହିଲା ବସନ୍ତ ବାଆ,
ଗଛଡାଳେ ପକ୍ଷୀ ବସା ବାନ୍ଧିଲେଣି
ହୋଇବେ ସେ ବାପାମାଆ I
କୁନି କୁନି ଥଣ୍ଟେ କୁଟାକାଠି ଆଣି
ତିଆରନ୍ତି ବସାଘର,
ନିଜନିଜ ଛଳେ ପ୍ରଜାତି କୌଶଳେ
ନିଜେ ନିଜ କାରିଗର I
ସ୍ଥଳପଦ୍ମ ଗଛ ଛନ୍ଦା ଡାଳ ଦେଖି
ଚୁଳିଆ ବସା ବାନ୍ଧିଲା,
ଝିଅ ଚୁଳିଆଟି ମଉନ ମନରେ
ବସାରେ ବସୁଯେ ଥିଲା I
ଫୁଲ ତୋଳୁଥିଲି ଛପିକି ଦେଖିଲି
ଦୁଇଗୋଟି ଅଣ୍ଡା ଅଛି,
ଜଣ ପରେ ଆନ ଚୁଳିଆ ଦମ୍ପତ୍ତି
ଅଣ୍ଡାକୁ ଉଷୁମାଉଛି I
କିଛିଦିନ ପରେ ଶୁଣିଲି ସେଠାରେ
ଚେଁ ଚେଁ ସ୍ୱର ଶୁଭୁଛି,
ଗୋଟିଏ ବସାରେ ବସିଛି ଆନଟି
ପାଖଡାଳେ ଜଗିଅଛି I
ଫର ଫାର ଉଡି ଯାଆନ୍ତି ଫେରନ୍ତି
ଥଣ୍ଟରେ ଅଧାର ଧରି,
ଗୋଟି ଗୋଟି ବାଛି ଛୁଆଙ୍କୁ ଖୁଆନ୍ତି
ମନରେ ମମତା ଭରି I
ବଇଶାଖୀ ଖରା ଭୃକ୍ଷେପ ନକରି
ଛୁଆଙ୍କୁ ଖାଦ୍ୟ ଦିଅନ୍ତି,
ଟାଣ ଖରାବେଳେ ହାଲିଆ ଲାଗିଲେ
ପକ୍ଷୀ ମେଲେଇ ବସନ୍ତି I
ମଟର ଲଗେଇ ପାଇପ ରେ ପାଣି
ପକାଏ ବରଷା ପରି,
ଛୁଆ ଭିଜି ଗଲେ କାଳେ କଣ ହବ
ବସନ୍ତି ଉହାଡ଼ କରି I
କିଛିଦିନ ପରେ ଛୁଆ ବଡ ହେଲେ
ଡାଳରେ ଡେଇଁ ବୁଲିଲେ,
ଚାଉଁ ଚାଉଁ କହି ମାଆ ଖୁସିହେଲା
ମୋଛୁଆ ବଡହୋଇଲେ I
ଖଣ୍ଡି ଉଡ଼ାଣରେ କିଛିଦିନ ପରେ
ସେ ଛୁଆ ଉଡିଯେ ଗଲେ,
ଚୁଳିଆ ମାଆଟି ବାହୁନୁଛି ବସି
ମୋଛୁଆ କୁଆଡେ ଗଲେ I
ଝଡବର୍ଷା ସହି ନଖାଇ ନପିଇ
ଛୁଆଙ୍କୁ ସେ ବଡକଲା,
ଡେଣା ଟାଣ ପାଇ ଉଡିଗଲେ ଛୁ ଆ
ବାପାମା 'କୁ ନ ଖୋଜିଲା I
ପିଣ୍ଡା ପରେ ବସି ନିଇତି ଦେଖେମୁଁ
ସେଦୁଇ ପକ୍ଷୀଙ୍କ ଠାଣି,
ପିଲା ବଡହେଲେ ବାପାମା 'ଙ୍କୁ ଭୁଲିଲେ
ଏତ ଆଜିର କାହାଣୀ I