କଳାବତିର ବିଚାର
କଳାବତିର ବିଚାର
ଦୁଃଖ, ହତାଶ, ଅପମାନ,
ଲାଂଛନା, ତାଡନା,
ଦେହଧରି କଳାବତୀ ସହିବ କିମିତି
ଏତେ ନିର୍ଯ୍ୟାତନା I
ଆଜିତ ବହୁତ ହେଇଚି
ମଝିଦାଣ୍ଡରେ, ସବୁରି ସାମ୍ନାରେ
ମଦଖିଆ ମରଦଟା, ସିଙ୍ଗାରି ଉଠିଚି
ଗୋଇଠା ମାରିଚି, ଲଙ୍ଗଳା କରିଚି,
ଅଭାଷା କହିଚି -
ତୁ ପଛେ ଆଉ କହାକୁ ସ୍ବାମୀ କର
ହେଲେ ମତେ ଟଙ୍କା ଦେ ମୁଁ ମଦ ପିଇବି,
ନଚେତ ମାରୁ ମାରୁ ମାରିଦେମି ତତେ
ହଁ ହଁ ଜମା ଛାଡିବିନି I
ଏମିତି ସବୁଦିନିଆ, ଦେହସୁଆ
ସବୁସହୁଥିଲା କଳାବତୀ ,
ସବୁ ଦୁଃଖକୁ ପେଟରେ ପୁରେଇ
ନିଜ ମରଦକୁ ବଡ କରିଥିଲା,
ଇହପର କାଳର ଦିଅଁଟା ଭାବି
ମୁଣ୍ଡିଆ ମାରୁଥିଲା.. ହିନ୍ଦୁ ଜାତିର ଝୁଅଟା
ଵୋଉଠାରୁ ସବୁ ଶିଖିଥିଲା I
ନଈକୂଳ ନିଛାଟିଆ ତୋଟା,
ବଡ଼ବଡ଼ ଆମ୍ବ ଗଛ, ପାଣିଚିଆ ଅନ୍ଧାରକୁ
ଶିଇଁଶିଇଁ ଝିଙ୍କାରିଙ୍କ ଶବ୍ଦ
ଚିତ୍କାର ଛାଡୁଚି ବିଲୁଆ I
ମନେ ପଡ଼ୁଚି, ରାଉତ ସାଇ ସାରିଆଟା
ମଝିଗଛରୁ ତଳକୁ ଝୁଲୁଥିଲା ଏଇଠି I
ନିଶ୍ୱାସ ବଢୁଥିଲା,
ପାହୁଣ୍ଡର ବେଗ ବଢୁଥିଲା
ଚାଲୁନଥିଲା କଳାବତୀ ଦୌଡୁଥିଲା,
ଲୋକବାକ, ବାଟଘାଟ, ଇଜ୍ଜତ ମହତ
କିଛି ଖିଆଲ ନଥିଲା,
କେବଳ ମରିବ, ମରିବାଟା ଥୟ I
କାହିଁକି ବଂଚିବ? ବାପାମାଆ ଛେଉଣ୍ଡ
କଳାବତୀ ଯାହା ହାତ ଧରିଥିଲା,
ସେଟା ତ ଅମଣିଷ ହେଲା,
ଜୀବନସାଥୀ ହେଇ ସାତ ଦୁଃଖ ଦେଲା I
ଅହେତୁରେ ଚଢିଗଲା ଗଛ ଉପରକୁ
ମୁଣ୍ଡ ଉପରେ ଗଛ ଡାଳ
ବାନ୍ଧିଦେଲା ଲୁଗାକାନିରେ
କଳାବତୀ ଡାଳରେ ବେକକୁ I
ହାତ ଗୋଡ଼ ଅବଶ
ଖସିପଡୁଚି ତଳକୁ ତଳକୁ,
ଆଉ ନିମିଷକେ ଥମିଯିବ
ଅହମିକାରେ ଥରୁଥିବା ଦେହଟା I
ଏକଣ...
ଡୁଗୁଲୁ ଡୁଗୁଲୁ ପାଦେ କିଏ ଦଉଡୁଚି,
କୁଲୁରୁ କୁଲୁରୁ କଥା,
କିଏ ଡାକୁଚି.... ମା '
ମା 'କୁଆଡେ ଗଲୁକି,ତୁତୁ ଢୋକେ ଦବୁନି
ଭାରିଭୋକ, ସାହିପାରୁନି ଲୋ ମା I
ବାସ... ପାଦ ଛନ୍ଦିହେଇଗଲା
ଗଛ ଡାଳକୁ ଜୋରକରି ହାତ ଧରିଥିଲା,
ମରିପାରିଲାନି କଳାବତୀ
ତଳକୁ ଓହ୍ଲେଇ ଧାଉଁ ଥିଲା
ତା ଘର ଆଡକୁ
ବାତ୍ସଲ୍ୟ ମମତା ସୁମରି I
ସତରେ, ଏ ଦୁନିଆରେ
କିଏ ହବ ମାଆ ପରି......।