ଜଟାୟୁର ଶେଷଇଛା
ଜଟାୟୁର ଶେଷଇଛା
ସାତ ଦିନରେ ମୁଁ ଜନମ ହେଇଚି
ସାତ ଦିନରେ ମୁଁ ମରିବି,
ସାତ ଦ୍ବିପାମହୀ ଛାଡିବା ପୂର୍ବରୁ
ସାତ ଦିନ କଥା କହିବି ।
ପୁଅ ବୋହୁ, ଝିଅ ଜ୍ୱାଇଁ, ଧର୍ମପତ୍ନୀ
ଧର୍ମ, କର୍ମ ଘେନି ସାତ,
ସବୁଠୁ ବିଶ୍ୱାସ ତୁଟିଗଲାପରେ
ଲୋଡ଼ା ନଥାଏ କା' ସାଥ ।
ସାଙ୍ଗ ସାଥି ଆଉ ସଖା ସହୋଦର
ସମାଜର ସବୁ ଜନ,
ହାରିଯାଇଥିବା ଜଟାୟୁର କଥା
ବୁଝିବାକୁ ନିବେଦନ ।
ଭିକ୍ଷା ଛଳେ ସୀତା ହରଣେ, ରାବଣ
ଜଟାୟୁ ଓଗାଳେ ପଥ,
ହାରି ଦୁଇ ପକ୍ଷ ବଂଚିବା ସାପେକ୍ଷ
'ରାମେ ' କହି ହେଲେ ହତ ।
ଆଜି ଯିବ ଚାଲି, ଆରମ୍ଭିବି କାଲି
ମୋ ସାତ ଦିନର କଥା,
କେହି 'ରାମ' ରୂପେ ବୁଝିବେ ନିଶ୍ଚୟ
ଜଟାୟୁର ଶେଷଇଛା ।
କଥା ବେଦନାର, ମୋର ଅନ୍ତଃଶ୍ୱର
ବୁଝ ସବୁ ପୁଅଝିଅ,
"ପିତା -ଧର୍ମ "କଥା ନବୁଝି ଚଳିଲେ
ଅଭିଶାପେ ନଷ୍ଟ ହୁଅ ।
ବୁଝି ନପାରିଲେ, ଜନମ ତ ବୃଥା
ଯଶ ଗୁଣ ବୃଥା ହବ,
ସାତ ଦିନପରେ ମୋକଥା ନଥିବ
ପ୍ରତିଧ୍ୱନୀ ଶୁଭୁଥିବ ।
