ନୂଆ ଏକ ଭାରତ ଗଢିବି
ନୂଆ ଏକ ଭାରତ ଗଢିବି
ମୁଁ ଏବେ ନୌକାରେ ବସିଛି
ସଂସାର ବାରିଧି ଲଙ୍ଘି
ସେପାରିକି ଯିବି ମୋ ନିଜ ଘରକୁ
ଯୋଉଠୁ ଆସିଥିଲି ନିଜ ନାଁ ନେଇ I
ସଂସାରର ମାୟାଜାଲ
ମୋତେ ଘାରିପାରିନାହିଁ I
ତଥାପି ମୋ ଜନ୍ମତୀର୍ଥ ଭାରତ
ବହୁତ ବିଦୀର୍ଣ୍ଣ କରୁଛି ଅନ୍ତରକୁ
ଧୀକାରୁଚି କୋଟି ସନ୍ତାନକୁ
ନିଜ ମାଟିମାଆର ସମ୍ମାନ ରଖିବାକୁ
କାହିଁକି ଅସମର୍ଥ ତୁମେ ??
ନିଳ ଉର୍ମି କାଟିକାଟି ଦୁଇକୂଳ ମଝିରେ ଚାଲିଛି ମୋ ଡ଼ଙ୍ଗା
ନିରବ ନିଃଶବ୍ଦ ତରଙ୍ଗରଧ୍ୱନି
ଡ଼ଙ୍ଗା ସମ୍ମୁଖରେ ଅପରୂପା ମତ୍ସ୍ୟଗନ୍ଧ୍ୟା
ଅକଳ୍ପନା ସୁନ୍ଦରୀ ନାୟିକା
ପଛରେ କଳ୍ପନା ବିଳାସୀ ମୁଁ ପରାଶର
ନାବିକ ନଥାଇ ମୁଁ ଏକା I
ପରାହତ କରିବି ସମସ୍ତ ଧୈର୍ଯ୍ୟକୁ
ଧର୍ମକୁ ନୀତିନିୟମକୁ I
କୁହେଳିକା ସୃଷ୍ଟି କରିବି
ଢାଙ୍କିଦେବି ଆଦିତ୍ୟଙ୍କୁ
ରାତ୍ରିର ଭ୍ରମରେ ଭୁଲେଇଦେବି
ମତ୍ସ୍ୟଗନ୍ଧାକୁ ପ୍ରୀତି ଭିକ୍ଷା କରିବି I
ମିଶେଇଦେବି ନିଜକୁ ତା ସହିତ
ପ୍ରକୃତି ପୁରୁଷ ନିମିତ୍ତ
ସମୟ ସୁଯୋଗ ନିମିତ୍ତ I
ଜନ୍ମଦେବି ନୂଆ ଏକ ପରାଶର
ପିତା ଯେହୁ ପୁତ୍ର ସେହୁ
ଏକବିନ୍ଦୁ ନିପତିତ ଶୂନ୍ୟରୁ ଶୂନ୍ୟକୁ I
ନାମ ଦେବି ବ୍ୟାସଦେବ
ଯାହାଙ୍କ ପବିତ୍ର ମନ୍ତ୍ର ବଳେ
ନୂଆ ଏକ ଭାରତ ଗଢିବି I
କୁମାରୀକା ଠାରୁ ହିମାଚଳ ଯାଏ
ଗୋଟିଏ ସୂତ୍ରରେ ବାନ୍ଧିବି
ଅମେସବୁ ଗୋଟିଏ ମାଆର ସନ୍ତାନ I
ଆମ ଭିତରେ ନଥିବ ହିଂସାଦ୍ୱେଷ
ପରଶ୍ରୀକାତରତା ନଥିବ ରୋଗ
ନଥିବେ ଚିକିତ୍ସକ ନଥିବ ଚିକିତ୍ସାଳୟ
ନଥିବ ଚୋରି ରାହାଜାନି
ନଥିବ ହିଂସା ପ୍ରତିହିଂସା
ନଥିବ ପୋଲିସ ଥାନା କୋର୍ଟକଚେରୀ
ନାରୀ ପୀଡନ ବ୍ୟଭିଚାର
ପର ଧନ ଲୁଣ୍ଠନ ନଥିବ
ଥିବ ଖାଲି ଭାଇଚାରା
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ
ଭିନ୍ନତାରେ ଏକତାର
ପବିତ୍ର ବେଦଧ୍ଵନି..
ମୋ ଦେଶ ଭାରତ ମହାନ I
ହେ ଈଶ୍ୱର !
ଗଙ୍ଗା ଯମୁନା ସରସ୍ୱତୀ
ତ୍ରିବେଣୀ ସଙ୍ଗମେ ପ୍ଲାବିତ
ବେଦର ପବିତ୍ର ମନ୍ତ୍ରରେ ଉଦବେଳିତ
ଦେବଭୂମି ଭାରତ.. ଗଢିବାକୁ
ମୋତେ ଥରେ କର ପରାଶର
ମୋତେ ଥରେ କର ପରାଶର I