ଦୁଇ କୂଳକୁ ହିତା
ଦୁଇ କୂଳକୁ ହିତା
ମାତୃଗର୍ଭେ ଦେଖି କନ୍ୟା ସନ୍ତାନ ବୋଲି
ଜୀବନୁ ନ ଦିଅ ମାରି
ବଞ୍ଚିବାକୁ ଦିଅ ଏ ସୁନ୍ଦର ସଂସାରେ
ଦେବ ସେ ଗୌରବ ଭରି ।
କନ୍ୟାଟିଏ ବୋଲି ଘୃଣା କରନାହିଁ
ସେ ହେବ ଦିନେ ଜଗତଜିତା
ବୃଦ୍ଧ କାଳେ ତୁମ ସାହାରା ହୋଇବ
ଲେଖିବ ନୂତନ ଗାଥା ।
ଝିଅଟିଏ ବୋଲି ତାକୁ କଳଙ୍କ ଭାବନି
ନୁହେଁ ସେ କଳଙ୍କିତ ଅଧ୍ୟାୟ
ମମତାମୟୀ ସେ କରୁଣାର ବାରି
କେବେ ହୁଏନାହିଁ ନିର୍ଦ୍ଦୟ ।
ଝିଅ ବୋଲି ତାକୁ ବୋଝ ଭାବନାହିଁ
ଶେଷ ବେଳର ସେ ଆଶାବାଡି
ପ୍ରତି ମୁହୂର୍ତ୍ତର ଅନନ୍ୟ ଉଦାହରଣ
ସମସ୍ତଙ୍କ ଅନ୍ଧର ଲଉଡି ।
ନାରୀଟିଏ ବୋଲି ହେୟ ନ ମଣ
ନ ଦିଅ ତାକୁ ନିର୍ଯ୍ୟାତନା
ସରଳମନା ସେ ହୃଦୟ ଜିଣିବା ଜାଣିଛି
ପରକୁ ବି କରିନିଏ ଆପଣା ।
କେବେ ମାତା ଭଗ୍ନୀ କେବେ ସେ ବାନ୍ଧବୀ
କେବେ ପୁଣି ହୁଏ ଜାୟା
ଜନମ ଦେଇ ପୁଣି ଜନନୀ ବୋଲାଏ
ଗଢି ଆଉ ଏକ କାୟା ।
ଦୁହିତା ବୋଲାଏ ଦୁଇ କୂଳକୁ ଯେ ହିତା
ଦୁଇ କୂଳର ସମ୍ପର୍କ ସେତୁ
ହୀନିମାନ ନକର ବଦନାମ ନକର
ସମାଜେ ନିନ୍ଦିତ ନ ହେଉ ।
ପୋଛିଦିଅ ମନରୁ ଅବିବେକୀ ଭାବନା
ଗଢ଼ିବା ସୁସ୍ଥ ଏକ ଦୁନିଆ
ସମ୍ମାନ ଦେବା ନାରୀ ମାନଙ୍କୁ ସମସ୍ତେ
ଆଉ ଭ୍ରୁଣ ହତ୍ୟା ନ କରିବା ଜମା ।