ଝରକା ଫାଙ୍କରେ ଅନେକ କଥା
ଝରକା ଫାଙ୍କରେ ଅନେକ କଥା
ବରଷା ରାତିରେ ମୂର୍ଦୁ ମଳୟ ପରଶ
ମନେ ଉଠେ ଶିହରଣ
ଝରକା ଫାଙ୍କରେ ଅନେକ କଥାକୁ
ରାତି କରୁଥାଏ ସମ୍ମୋହନ ।
ଆକାଶରେ ଜହ୍ନ ଉଙ୍କି ମାରୁଥାଏ
ଝରକା ଫାଙ୍କ ରାସ୍ତା ଦେଇ
ପୁଣି ଲୁଚକାଳି ଖେଳ ଖେଳୁଥାଏ
ଭସା ବାଦଲକୁ ସାଥେ ନେଇ ।
ପ୍ରିତିପୁରେ ସାଇତା ପ୍ରଣୟ କାହାଣୀ
ମନେ ସବୁ ଯେବେ ପଡ଼େ
ନିଜକୁ ଫେରେଇ ନିଏ ଅତୀତ ପଛକୁ
ବର୍ତ୍ତମାନକୁ ପୁଣି ସାଥେ ଯୋଡେ ।
ଆକର୍ଷଣ ହୁଏ ଆନମନା ସ୍ଵପ୍ନ ସବୁ
ଆଖି ଉହାଡ ପଛରେ
ଝୁମିଯାଏ ମନ ଖୋଲା ହୃଦୟ ଆକାଶେ
ଅଦୃଶ୍ୟ ଅସ୍ପଷ୍ଟ ଛନ୍ଦରେ ।
କିଛି ବ୍ୟଥା ଅବସାଦ ମନେ ପଡ଼ିଗଲେ
ଅବ୍ୟକ୍ତ ଲୋତକ ଝରେ
ବିଚ୍ଛେଦ ବିରହ ଜ୍ୱାଳାରେ ଜର୍ଜରିତ ଚିତ୍ତ
ପ୍ରଶ୍ନବାଚୀ ସୃଷ୍ଟି କରେ ।
ଜହ୍ନ ଲୁଚିଯାଏ ତାରା ଗହଳ ଭିତରେ
କହିବ ବୋଲି ନିଜ ବ୍ୟଥା
ଝରକା ଫାଙ୍କରେ କଇଁ ଜଗି ବସିଥାଏ
ଶୁଣିବାକୁ ସେ ଅବ୍ୟକ୍ତ କଥା ।