ଶୀତ ରାତି
ଶୀତ ରାତି
ସେଦିନ ଶୀତ ରାତିରେ ଉଜାଗର
ନିର୍ଜନ ରାସ୍ତାରେ ବାଟବଣା ଚଢ଼େଇ
ଖୋଜି ବୁଲୁଥିଲା ପାଇବାକୁ ଠିକଣା
ନିଜ ଲୋକ ନାହିଁ କାନ୍ଦେ ବାହୁନି ବାହୁନି ।
ଖୋଲା ଆକାଶ ତଳେ ଥଣ୍ଡାର ପ୍ରକୋପେ
ରାସ୍ତା କଡ଼ରେ ଥିବା ବତିଖୁଣ୍ଟକୁ ଆଉଜି
ନିନ୍ଦୁଥିଲା ନିଜ ଭାଗ୍ୟ ଦେଖି ହାତରେଖା
ନିଜେ ସମାଜରେ ଦୋଷି ଥିଲା ସାଜି ।
ଭୋକ ବିକଳରେ ଘୁରି ବୁଲୁଥିଲା
ପାଇବାକୁ କିଛି ଆହାର ବୋଧେ
ସବୁଠି ନିରାଶା ଅସହ୍ୟ ଅନ୍ଧକାର
ଲୁଣିଆ ଝର ଓଠ ପିଇଗଲେ ଭାରି ବାଧେ ।
ସାନ୍ତ୍ଵନା ଦେଇ ବୁଝାଏ ନିଜକୁ କେବେ
କେବେ ନିଜ ଉପରେ ବିଶ୍ୱାସ ହରାଏ
ଓଦା ଭୂଇଁ ଉପରେ ଅଭିମାନ କରି କେବେ
ଶୀତ ରାତିରେ ଥରି ଥରି ଶୋଇଯାଏ ।
ସ୍ଵପ୍ନ ଦେଖେ ଗାଢ଼ ଭବିଷ୍ୟତର ରୂପରେଖ
ପାଇବାକୁ ରାତି ଅନ୍ଧାର ଅନ୍ତରାଳେ
ସୁନେଲି ସପନ ଧୋକା ଦେଇ ଅଟ୍ଟହାସ୍ୟ କରନ୍ତି
କୋହ ଉଠଇ ପୁଣି କେତେ ଛାତିତଳେ ।
ଅପେକ୍ଷା କରିଛି ସେଇ ଆଶାର ଆଲୋକ
ଆଉ ଗରମ ପରଶ ପାଇବାକୁ ଜୀବନେ
ଅନ୍ଧାରକୁ ପଛରେ ପକାଇ ସ୍ୱପ୍ନର ପୁଟୁଳି ବାନ୍ଧି
କାମନାର ଦୀପ ଶିଖା ଜଳୁଥାଏ ମନେ ।