ଶ୍ମଶାନ ବୈରାଗ୍ୟ
ଶ୍ମଶାନ ବୈରାଗ୍ୟ
ସୃଷ୍ଟିକର୍ତ୍ତାଙ୍କର ଅମୃତ ସମାନ,
ଚତୁର ମାନବ ଜାତି ।
ମନୁଷ୍ୟ ନିଜର ବୁଦ୍ଧି-ବିଦ୍ୟା ବଳେ,
ରଖିଛି ଅକ୍ଷୟ କୀର୍ତ୍ତି ।୧।
ଯୁଗେ ଯୁଗେ ଏହି ମାନବ ସମାଜ ,
ଉଡାଇ ବିଜୟ ଧ୍ଵଜା ।
ଜ୍ଞାନର ଆଲୋକ ଦେଖାଇ ବିଶ୍ୱକୁ
ସର୍ବଦା ପାଇଛି ପୂଜା ।୨।
ଆତ୍ମଜ୍ଞାନ ଦ୍ୱାରା ବହୁ ତର୍କ କରି,
ବିଶ୍ଵେ ହେଲା ମହାଜ୍ଞାନୀ ।
ଗବେଷଣା ପୁଣି ସାଧନାର ବଳେ,
ହୋଇଗଲା ସେ ବିଜ୍ଞାନୀ ।୩।
ଆଧ୍ୟାତ୍ମିକ ଗ୍ରନ୍ଥ ଓ ଧର୍ମ ଶାସ୍ତ୍ରରେ,
ଅର୍ଜିଥାଏ ବହୁ ଜ୍ଞାନ ।
ବିବିଧ ଶାସ୍ତ୍ରକୁ କରି ଅଧ୍ୟୟନ
ବୋଲାଏ ମୁଁ ମହାମାନ୍ୟ।୪।
ସ୍ୱାଧ୍ୟାୟ ସହିତ ପ୍ରବଚନ ଦ୍ୱାରା,
ଦିଏ ଉପଦେଶ ମାନ ।
ଜୟଘୋଷ ଦ୍ୱାରା ଆତ୍ମପ୍ରଚାରରେ,
ବଢାଏ ଆତ୍ମସମ୍ମାନ ।୫।
ନୀତି ଆଦର୍ଶର ବାଣୀକୁ ଶୁଣାଇ,
ବୋଲାଏ ମୁଁ ଶ୍ରେଷ୍ଠ ନର ।
ସଭିଙ୍କ ନିକଟେ କରି ଶାସ୍ତ୍ର ଚର୍ଚ୍ଚା,
ସେ ହୁଏ ବିଜ୍ଞ ପ୍ରବର ୬।
ଗୀତା-ଭାଗବତ ଆଲୋଚନା କରି
ଦିଅଇ ସେ ତତ୍ତ୍ୱ ଜ୍ଞାନ ।
ଭକ୍ତିଜ୍ଞାନ ରସେ ହୋଇଣ ଆକୃଷ୍ଟ
ବ୍ୟକ୍ତି ହୋଇଥାଏ ଧନ୍ୟ ।୭।
ଯେତେ ଜ୍ଞାନୀ-ମାନୀ ହୋଇଗଲେ ନର,
ନ ଛାଡେ ତା'ର ପ୍ରକୃତି ।
ଭୋଗ ବିଳାସରେ ରଖୁଥାଏ ମନ,
ବଢାଇ ତା'ର ଆସକ୍ତି ।୮।
ତ୍ୟାଗୀ-ବଇରାଗୀ ନିଜକୁ ଯେ କହେ,
ବାସ୍ତବେ ସେ ତାହା ନୁହେଁ ।
ଆତ୍ମ ପରିଚୟ ନ ଦିଏ ବୈରାଗୀ,
ସବୁ ବାଧା ବିଘ୍ନ ସହେ ।୯।
ଅନ୍ୟକୁ ଯେ ଦିଏ ନୀତି ଉପଦେଶ,
ନ ପାଳେ ସେ କଦାଚିତ ।
ଜ୍ଞାନ ଗାରିମାରେ ହୋଇ ବାକ୍ୟବୀର
କାର୍ଯ୍ୟ କରେ ବିପରୀତ । ୧୦।
ଉନ୍ନତ ଭାବନା-ସରଳଜୀବନ,
କରୁଥାଏ ବଇରାଗୀ ।
ବିଳାସବ୍ୟସନ କରି ପରିହାର ,
ହୁଏ ସଦା କର୍ମଯୋଗୀ ।୧୧।
ସରଳ-ସୁନ୍ଦର ପ୍ରବଚନ ଦ୍ୱାରା,
ବୋଲାନ୍ତି ଯେ ସଦଗୁରୁ
ବିଷୟାରସକୁ କରି ଆସ୍ୱାଦନ,
ଭୁଲିଯାନ୍ତି କର୍ତ୍ତବ୍ୟରୁ ।୧୨।
ତ୍ୟାଗରୁ ପ୍ରକୃତ ଭୋଗ ହୁଏ ପ୍ରାପ୍ତି ,
ଜାଣିଥାଏ ଜ୍ଞାନୀଜନ ।
ତଥାପି ମନୁଷ୍ୟ ତ୍ୟାଗ ଗୁଣ ଛାଡି,
ଭୋଗରେ ବଳାଏ ମନ ।୧୩।
ମନକୁ ଦମନ ଇନ୍ଦ୍ରିୟ ସଂଯମ,
ଚିତ୍ତକୁ କରେ ପ୍ରଶାନ୍ତ ।
ସେହି ପୁରୁଷ ହିଁ ବାସ୍ତବ ବୈରାଗୀ,
ଏହା ଶାସ୍ତ୍ରରେ ସିଦ୍ଧାନ୍ତ ।୧୪।
ଗୃହ-ଦାରା-ପୁତ୍ର-ଧନର ଅର୍ଜନ,
ଏ ନୁହେଁ ବୈରାଗ୍ୟ ଲକ୍ଷଣ ।
ଲୋଭ-ଆସକ୍ତିକୁ କଲେ ପରିତ୍ୟାଗ,
ସେ ବ୍ୟକ୍ତି ହୁଏ ମହାନ ।୧୫।
ମାତୃତୁଲ୍ୟ ଜ୍ଞାନ କରେ ଯେ ନାରୀକୁ
ପରଦ୍ରବ୍ୟେ ଲୋଷ୍ଟ୍ରସମ ।
ସମସ୍ତ ପ୍ରାଣୀଙ୍କୁ ନିଜ ପରି ଭାବେ,
ସେ ହିଁ ମାନବୋତ୍ତମ।୧୬।
ବୈରାଗ୍ୟ ଜୀବନ ଅତୀବ କଠିନ,
ସାଧକ ଯେ ଜିତେନ୍ଦ୍ରିୟ ।
ପ୍ରକୃତ ବୈରାଗୀ ତା'କୁ କୁହାଯାଏ
ନାହିଁ ଏଥିରେ ସଂଶୟ ।୧୬।
ସତସଙ୍ଗ ସହ ଉପଦେଶ ବାଣୀ,
ଲାଗଇ ଅତି ମଧୁର ।
ଭାବ ଆବେଗରେ ତତ୍କାଳ ସେ ଚିନ୍ତେ,
ସଂସାର ଲାଗେ ଅସାର ।୧୮।
ଗୃହ ଜଞ୍ଜାଳରେ ହୋଇ ମୋହଗ୍ରସ୍ତ,
ଅସାରକୁ ମଣେ ସାର ।
ସଂକଳ୍ପ-ବିକଳ୍ପ ଭାବନାରେ ତା'ର
ହୁଅଇ ମନ ଅସ୍ଥିର ।୧୯।
ଈଶ୍ୱର ସ୍ମରଣ ଭୁଲିଯାଇ ମନୁ,
ନିଜକୁ ଭାବେ ମହାନ ।
ବୈରାଗ୍ୟ ଭାବକୁ ପଛରେ ପକାଇ,
କରେ ସେ ଅର୍ଜନ ।୨୦।
କାମ-କ୍ରୋଧ-ଲୋଭ ମୋହ ଓ ମାତ୍ସର୍ଯ୍ଯ
ପୁଣି ମଦ ଷଡ଼ଅରି ।
ମନୁଷ୍ୟ ମନକୁ ଅସୁବ୍ୟସ୍ତ ସହ
କରିଥାନ୍ତି ହତଶିରୀ ।୨୧।
କାମାସକ୍ତ ହୋଇ ସଂସାର ଜାଲରେ,
ଛନ୍ଦି ହୁଏ ମାଛପରି ।
କାମନାରୁ କ୍ରୋଧ ହୁଅଇ ଉତ୍ପନ୍ନ,
କ୍ରୋଧାଗ୍ନିରେ ଯାଏ ଜଳି ।୨୨।
କ୍ରୋଧରୁ ଉତ୍ପନ୍ନ ସମ୍ମୋହନ ଭାବ,
ସମ୍ମୋହନୁ ବୁଦ୍ଧି ନାଶ ।
ସ୍ମୃତିଭ୍ରଷ୍ଟରୁ ଯେ ହୁଏ ବୁଦ୍ଧିନାଶ,
ବୁଦ୍ଧିନାଶରୁ ବିନାଶ ।୨୩।
ଗୀତାର ଜ୍ଞାନକୁ ପ୍ରାପ୍ତ କରି ସୁଦ୍ଧା,
ବ୍ୟକ୍ତି ହୁଏ ହତଜ୍ଞାନ ।
କାମିନୀ-କାଞ୍ଚନେ ନିମଜ୍ଜିତ ରହି
ହୋଇଥାଏ ବୁଦ୍ଧିଶୂନ୍ୟ ।୨୪।
ଯେତେବେଳେ ମୃତ୍ୟୁ ହୁଏ ଉପନୀତି,
ସଂସାରୁ ବିଦାୟ ନିଏ ।
ଶରୀରରୁ ଯେବେ ଚାଲିଯାଏ ଆତ୍ମା,
ନିର୍ଜୀବ ଶବ ସେ ହୁଏ ।୨୫।
ଶବ ସନ୍ନିକଟେ ପୁତ୍ର-ଦାରା ସହ,
ଆନ୍ତି ଜ୍ଞାତି ପରିଜନ ।
ମଥା ସିଟି ସର୍ବେ ଆତ୍ମତ ଚିହାରେ,
କରୁଥାନ୍ତି ଯେ ରୋଦନ ।୨୬।
ରାମ ନାମ-ହରି ନାମ ସତ୍ୟ କହି,
ଶବକୁ ନ୍ୟନ୍ତି ଶ୍ମଶାନ ।
ସତ୍କାର କରିବା ସମୟେ ଥାଆନ୍ତି
ସର୍ବେ ଆତ୍ମୀୟ ସ୍ୱଜନ ।୨୭।
ପରସ୍ପର ମଧ୍ୟେ ହେଇଥାଏ ଚର୍ଚ୍ଚା,
ମୃତ ବ୍ୟକ୍ତି ବିଷୟରେ ।
ଆସିଥିଲା ଏକା ଚାଲିଗଲା ଏକା,
କିଛି ନ ନେଲା ସାଥିରେ ।୨୮।
ଜୀବନଟା ସାରା ଜଞ୍ଜାଳରେ ପଡି,
ମିଛେ ହୁଏ କଲବଲ ।
ଭବ ନର୍କକୁଣ୍ଡେ ଘାଣ୍ଟିହୋଇ କହୁ,
ସଂସାରଟା ବିଷତୁଲ୍ୟ |୨୯|
ମଶାଣିରେ ସର୍ବେ "ଶ୍ମଶାନ ବୈରାଗୀ",
ସଂସାରରେ ଆମେ ଭୋଗୀ ।
ବୈରାଗ୍ୟ ଭାବନା କରୁଥିବା ସଦା,
ନ ହୋଇପାରିବା ତ୍ୟାଗୀ ।୩୦।
ବିରାଗର ଭାବ ଅଟଇ "ବୈରାଗ୍ୟ"
ଏହା ଶାସ୍ତ୍ରୀୟ ବଚନ
ଆର୍ଯ୍ୟସଂସ୍କୃତିର ଶ୍ରେଷ୍ଠ ପ୍ରତୀକ ଯେ,
ତ୍ୟାଗ-ସଂଯମ ଓ ଧ୍ୟାନ ।୩୧।
ଦେବାଧିଦେବ ଯେ ମହାଦେବ ରୁଦ୍ର ,
ଅଟନ୍ତି ଶ୍ରେଷ୍ଠ ବୈରାଗୀ ।
ଗୃହ ଜଞ୍ଜାଳରେ ହୋଇ ସନ୍ନିବିଷ୍ଟ ,
ସଂସାରର ମହାଯୋଗୀ ।୩୨।
ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର,
ଯୀଶୁ-ବୁଦ୍ଧଗୌତମ ।
ବୈରାଗ୍ୟର ସଂଜ୍ଞା ବୁଝାଇ ସଭିଙ୍କୁ,
ବିଶ୍ୱେ ହେଲେ ନରୋତ୍ତମ ।୩୩।
ଚାରି ଆଶ୍ରମରୁ ଶ୍ରେଷ୍ଠ ଆଶ୍ରମଟି,
ଅଟଇ ଗୃହସ୍ଥ ଧର୍ମ ।
ବାସ୍ତବ ବୈରାଗୀ ଗୃହସ୍ଥ ଅବଶ୍ୟ
ଏହା ଯେ ଶାସ୍ତ୍ର ପ୍ରମାଣ ।୩୪।
ଷଡଅରି ଯୁକ୍ତ ହେଲେ ବି ସଂସାରୀ
କଲେ ସଂଯମ ପାଳନ ।
ଦାନ-ଧର୍ମ-ସେବା-ଭକ୍ତିଭାବ ବଳେ
ମନୁଷ୍ୟ ହୁଏ ମହାନ ।୩୫।
।। ସମାପ୍ତ ।।