ଅଦିନ ଝଡ଼
ଅଦିନ ଝଡ଼
ସମୟ ସୂଚନା କିଛି ବି ନଥାଇ
ହଠାତ୍ ପଶି ଆସି ଅଦିନ ଝଡ଼
କରେ ଛାରଖାର ଜୀବନ କାହାର
ଭାଙ୍ଗିରୁଜି ତା’ର ଧଇର୍ଯ୍ୟ ବାଡ଼ ।
ତାହାର ଆଘାତ ବେଦନାସିକ୍ତ
ବିଶ୍ବାସ ଭରସା ହଜାଇ ଦିଏ
ଭରିଲେ ବି ଯେତେ ଉତ୍ସାହ ପ୍ରେରଣା
ଥୟ ଧରିବାକୁ ସମୟ ନିଏ ।
କାହିଁକି ଆସିଲା କ’ଣ କେତେ ହେଲା
ହିସାବ ଖୋଜଇ କ୍ଷୟକ୍ଷତିର
ଆଖିର ଲୋତକ ଆଖିରେ ମରଇ
କହି ନ ପାରଇ ଆଗେ କାହାର ।
ଅତୀତକୁ ଝୁରି ଭଗ୍ନ ହୃଦୟରେ
ଗଣୁଥାଏ ଯେତେ ଅଭୁଲା ଦିନ
ସତେ ମେରୁଦଣ୍ଡ ଟେକି କି ପାରିବ
ମନ ଭିତରଟା ସନ୍ଦିହାନ ।
ପାଇଯାଏ ଯେବେ ଝଡ଼ର ସୂତ୍ରଟା
ସଳଖ ହେବାକୁ କରେ ସାଧନା
ନିଜ ମନ ସହ ଯୁଝିଯୁଝି ନିତି
ଉଦ୍ୟମେ ସମ୍ପର୍କରେ ବୁଝାମଣା ।
ଜୀବନଟା ଅଛି ଝଡ଼ ବି ରହିଛି
ମାତ୍ର ଯେବେ ଉଭା ଅଦିନ ଝଡ଼
ସାହସ ଶକତି ଧୈର୍ଯ୍ୟକୁ ଏକାଠି
କଲେ ଭାଙ୍ଗିଯିବ ତାହାର ତୋଡ଼ ।।
