ନିଦ୍ରା
ନିଦ୍ରା
ଦିନାନ୍ତେ ଧରିତ୍ରୀ ବେଢ଼େ ବିଭାବରୀ
କର୍ମକ୍ଳାନ୍ତି ଅପନୋଦନ ପାଇଁ
ଆଖି ମୁଦି ଶୋଇଯାଆନ୍ତି ସକଳେ
ନିଦ୍ରା ଦେବୀଙ୍କର କୋଳରେ ଯାଇ ।
ରୂପଟି କାଳିମାମୟ ଥିଲେ ମଧ୍ଯ
ଅତି ବିକଳରେ ଲୋଡ଼ନ୍ତି ସର୍ବେ
ତାଙ୍କ ବିନା କା’ର ନାହିଁ ଅନ୍ୟଗତି
ଜନମି ଅଛନ୍ତି ଯେତେ ଏ ଭବେ ।
ଆହା ! କି ଅପୂର୍ବ ତାଙ୍କର ପରଶ
ଯେତେ ଥକ୍କାପଣ ଯାଏ ଉଭେଇ
ଚିନ୍ତାଦକ ଶୂନ୍ୟ ହୁଅଇ ଚେତନ
ନିଜ ଆତ୍ମସତ୍ତା ହରାଇ ଦେଇ ।
ନିଦ୍ରାଠାରୁ ବଳି ଶାନ୍ତି ନାହିଁ କାହିଁ
କର୍ମଜଞ୍ଜାଳରୁ ମୁକ୍ତ ଜୀବନ
ବେଳେବେଳେ ଅବଚେତନ ଚିତ୍ତରେ
ଆସଇ ସୁଖ ବା ଦୁଃଖ ସପନ ।
ଉଠି ତନ୍ଦ୍ରା କୋଳୁ ଖୋଜଇ ମାନବ
ସତ ଭାବନାରେ ମୁହ
ୂର୍ତ୍ତେ ପାଇଁ
ପୁଣି ନିଦ୍ରାଦେବୀ ଆଶ୍ବାସନା ଭରି
ସୁଖ ପଣତରେ ଥାନ୍ତି ଘୋଡ଼ାଇ ।
ସଞ୍ଜିବନୀ ସମ ଭରେ ଦେହେ ପ୍ରାଣ
ପରବର୍ତ୍ତୀ ଦିନ କର୍ମଚଞ୍ଚଳ
ହୋଇ ଦିବାରାତ୍ର ଚବିଶ ଘଣ୍ଟାରେ
ଦିବସୁ ଦିବସ ବିତଇ କାଳ ।
ଛଅ, ଆଠ ଘଣ୍ଟା ରଜନୀରେ ନିଦ୍ରା
ଶରୀର ନିମିତ୍ତ ଲାଭଦାୟକ
ମାତ୍ର ଦିନ ବେଳା ଶୟନ କରିବା
ଆଳସ୍ୟତା ଭରିଦିଏ ଅନେକ ।
ବିଦ୍ୟାର୍ଥୀର ନିଦ୍ରା ଥିଲେ ଶ୍ବାନ ପରି
ଅଶେଷ ଜ୍ଞାନର ହୁଏ ଅଧୀଶ
ଚୋର ବ୍ୟଭିଚାରୀ ନିଦ୍ରା ପରିହରି
ଜୀବନପଥକୁ କରଇ ନାଶ ।
ଅକର୍ମା ହୋଇ ଯେ ନିଦ୍ରା ପରିତ୍ୟାଗୀ
ଅହରହ ଲୟ ବିଭୁ ପୟରେ
ମୋକ୍ଷ ଗତିପଥ କରିକି ଉନ୍ମୁକ୍ତ
ଶେଷେ ମିଶିଯାଏ ବିଷ୍ଣୁ ପଞ୍ଜରେ ।।