ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ଜନମି ଧରାରେ ମାନବ ଶରୀରେ
କରମ ସାଥିରେ ଜୀଉଁଛି ନିତି
ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ମୋ ଚଲାପଥର ଗତି ମୁକତି ।
ତୁମେ ହିଁ ଭରସା ମୋ କରମ ଦିଶା
ନେଇଯିବା ପାଇଁ ସତପଥରେ
ବେଦନା ଭରା ଏ ଜୀବନର ମାର୍ଗ
ଚଳଇ କେବଳ ତୁମ ଆଶ୍ରାରେ ।
ତୁମେ ହିଁ କାର୍ଯ୍ୟ କାରଣ ଓ ଫଳ
ସବୁର ଚାଳନା ତୁମ ଇଚ୍ଛାରେ
ମୁଁ ନିମିତ୍ତ ମାତ୍ର ରହି ତୁମ ଛତ୍ର
ବୋଲେ ମୁଁ ମୋର ମୋହମାୟାରେ ।
ସୁଖଦୁଃଖ ଦୁଇ ନିଇତି କୋଳେଇ
ଥାଏ କେବେ ଶାନ୍ତି ବା ଅଶାନ୍ତିରେ
ଇଏ ତ ତୁମର ଯାଚିଦେବା ଫଳ
ଲଭଇ କେବଳ ଚିତ୍ତ ବିକାରେ ।
ଦୁଃଖ ନଥିଲେ କି ତୁମକୁ ପାଆନ୍ତି
ଆକୁଳିତ ମୋର ମନ ଭିତରେ ?
କୁନ୍ତୀ ସମ ନିତି ଯାଚନା କରଇ
ସେଥିପାଇଁ ଶିରୀରଙ୍ଗାପୟରେ ।
ଆଶା ଅଭିଳାଷ ତୁମଠାରେ ଶେଷ
ଦିଶେ ନାହିଁ ଆଉ କିଛି ଆଗରେ
ତେମେ ମୋର ପତି ତୁମଠାରେ ମତି
ରହିଥାଉ ଜୀବ ଗଲା ବେଳରେ ।
