STORYMIRROR

Binodini Dash

Inspirational

4  

Binodini Dash

Inspirational

ଦଶ ଦିଗପାଳ

ଦଶ ଦିଗପାଳ

1 min
7


ଆମ ପୃଥିବୀର ଦଶୋଟି ଦିଗର

ଦଶ ରକ୍ଷକ ଦେବଗଣ

ଦିଗପାଳ ଅବା ଦିକ୍ପତି ନାମେ

ଭିନ୍ନ ଭିନ୍ନ ନାମ ଧାରଣ

ଦିକ୍ସାଧନ

କରିବାର ନାନା ଉପାୟ

ଶିଖି ଏ ମାନବ ଶିଶୁ ଅବସ୍ଥାରୁ

ଜାଣଇ ଦିଗ ପରିଚୟ । 


ଦେବରାଜ ଇନ୍ଦ୍ର ପରା ଦିଗପାଳ

ଅଟନ୍ତି ପୂରୁବ ଦିଗର

ଯମ ଦକ୍ଷିଣର କୁବେର ଉତ୍ତର

ବରୁଣ ପଶ୍ଚିମ ଦିଗର

ଅଗ୍ନି ଅଗ୍ନିର

ମରୁତାଧିପତି ବାୟୁର

ଐଶାନ୍ୟ କୋଣର ଅଧିପତି ଶିବ

ନୈଋର୍ତ ନୈଋର୍ତ କୋଣର ।


ବ୍ରହ୍ମା ଯେ ଅଟନ୍ତି ଉର୍ଦ୍ଧ୍ବ ଦିଗପତି

ଅନନ୍ତ ଅଧଃ ଦିଗପାଳ

ଏ ଦଶ ଦେବତା ଦିଗ ରକ୍ଷାକର୍ତ୍ତା

ନିଜ ସାମର୍ଥ୍ୟ କରି ଠୁଳ

ସେଥିପାଇଁକି

ମାନବେ ହୋଇଥାନ୍ତି ସୁଖୀ

ବିବାହ ବନ୍ଧନେ ସୃଷ୍ଟିର ବର୍ଦ୍ଧନେ

ଦିଗପାଳେ ରହନ୍ତି ସାକ୍ଷୀ ।


ସୃଷ୍ଟିକୁ ଭିଆଇ ଦିକ୍ପାଳେ ଜଗାଇ

କାର୍ଯ୍ୟ କାରଣ ଆଉ ଫଳ

ଯାଚି ଦେଇଥାନ୍ତି ସକଳ ସନ୍ତାନେ

ନିଜ ଇଚ୍ଛାରେ ଆଦିମୂଳ

ଚେତନ ଦେହେ

ଭରି ବୁଦ୍ଧିଜ୍ଞାନ ଅପାର

ଯେତେ ଶାସ୍ତ୍ର ସ୍ତୋତ୍ର ପୁଣି ବେଦମନ୍ତ୍ର

ଉଚ୍ଚାରିତ ମୁଖେ ତାଙ୍କର ।


ଅରଜନେ ଧର୍ମ ଯେତେ ସବୁ କର୍ମ

ଦଶ ଦିଗପାଳ ପ୍ରହରୀ

ନିର୍ଦୋଷକୁ ଦୋଷୀ ଯେବେ କେ ବିଶ୍ବାସୀ

ସାକ୍ଷୀ ଦିଗପାଳେ ତାହାରି

ଅନ୍ଧପୁଟୁଳି

ଦିନେ ଖୋଲେ ଲୋକଚକ୍ଷୁରୁ

ଯେଣୁ ଦେବଗଣ ସତ୍ୟର ଅଧୀନ

ଝରଇ ଆଶିଷ ହସ୍ତରୁ ।


ଯାଗଯଜ୍ଞେ ହୋମ ଅନଳରେ ନାମ

ଉଚ୍ଚାରି ଘୃତର ଆହୂତି

ହୋଇଗଲେ ତୁଷ୍ଟ ଦଶ ଦିଗପାଳ

ଦୂର ହୋଇଥାଏ ବିପତ୍ତି

ଋତ୍ବିଜମାନେ

ବରଣ କରନ୍ତି ଦିକ୍ପାଳେ

ଦଶ ଦେବତାଙ୍କ ପୂଜାର ବିଧାନ

ଅନନ୍ତକାଳୁ ମହୀତଳେ ।



Rate this content
Log in

Similar oriya poem from Inspirational