ମୁଖା ଖୋଲ
ମୁଖା ଖୋଲ
ହେ ବୋକା
ତୁମେ ଜାଣିନ
ଏମିତି ଛୁଆର ମାଆ ହୋଇ
ଛାତି ଫାଟି କ୍ଷୀର
ବୁହାଇବା ବାହାନା ଆଳରେ
ମୁଁ କଣ କରୁଛି
ମିଛ ମଣିଷମାନଙ୍କୁ
କୌଶଳେ ଠକୁଛି।
ଯାହା ଲେଖୁଛି କଲମ
ସେଥିରେ ହୃଦୟ ଅଛି
ମାତ୍ର ପ୍ରକୃତ ପକ୍ଷେ
ମୁଁ ନିର୍ଦ୍ଦୟ ପାହାଡ଼
ବାସ୍ତବତା ଖୁବ୍ କଠୋର
ମୁଁ ନିଜେ ଛୁଆର ମାଆ
ହୋଇ ପାରୁନି
ଆଉ ସେ ରେଳଷ୍ଟେସନ
ଛୁଆର ମା !
ହା ହା
କେବଳ ମିଛ
ନେବାକୁ ଟିକିଏ ନାଁ।
ତୁମେ ପଢିଲ ଲେଖା
ଛୁଇଁଲ ମୋ ଛାତି
ମୋ ମମତାମୟୀ ଆଂଚଳ
ଫିଟି ପଡୁଛି
ସକାଳ ଖରା ପରି
ପରସ୍ତ ପରସ୍ତ ପିଆଜ ମୁଁ
ନିଜକୁ ଵିଜ୍ଞାପିତ କରୁଛି
ତୁମ ହୃଦେ
ଛୋଟ ଜାଗାଟେ ପାଇଁ।
ହୁସିଆର!
ଏଠି ଛଞ୍ଚାଣ ଆଖି
ଛୁଞ୍ଚି ମାଛି ପରୀକ୍ଷା ହେଉଛି
ଚାହିଁଲେ ବି
ଠକି ପାରିବନି
କରୋନା ପରି
ସବୁ ମଥା ପରୀକ୍ଷା ହେଉଛି।
ସୁଧୁରି ଯା
ମିଛ ନୁହେଁ
ସତରେ ଟିକେ ସେ ଛୁଆର
ମୁହଁ ଆଉଁସି ଦେ
ତା ବଂଚିବା
ରାସ୍ତା ଖୋଲ
ଏ ଫୋଟୋ
କବିତା
ଆହା ଚୁ ଚୁ ମାର୍ ଗୋଲି
ମୁଖା ଖୋଲ
ବଞ୍ଚିବାକୁ ଦେ ତାକୁ
ତା ଭାଗ୍ୟ ସହ ଲଢ଼ି ।।
