ଛାଇ ଆଲୁଅର ଖେଳ ଏ ଜୀବନ
ଛାଇ ଆଲୁଅର ଖେଳ ଏ ଜୀବନ
ମଣିଷ ଜୀବନ ଏନ୍ତୁଡ଼ି ଶାଳରୁ
ମଶାଣି ରେ ଶେଷ ହୁଏ
ଏଇ ଦୁନିଆର ରଙ୍ଗମଞ୍ଚେ ପରା
ଅଭିନୟ ଚ଼ାଲି ଥାଏ |
କେବେ ଆସେ ଖରା କେବେ ଯେ ଅନ୍ଧାର
ଏତ ଜୀବନର ରୀତି
ଦିନ ପରେ ରାତି ଦୁଃଖ ପରେ ସୁଖ
ଏହା ହିଁ ଜୀବନ ଗତି ।
ରାତ୍ରୀର ଗହଳ ଅନ୍ଧାରଟା ପରା
ରହେନି ବରଷ ମାସ
ଉଦୟ ସୂର୍ଯ୍ୟର ଅରୁଣିମା ଦିଏ
ଆଲୋକ ର ଯେ ପରଶ ।
ଅମା ଅନ୍ଧକାରେ ଅଦିନ ଝଡ଼ରେ
ଜୀବନ ନଉକା ଚ଼ାଲେ
ଅନ୍ଧକାର ହଟେ ଝଡ଼ ବି ଥମଇ
ନଉକା ଆହୁଲା ମାରେ ।
ଅନ୍ଧାର-ଆଲୋକ, ସୁଖ-ଦୁଃଖ ଅଟେ
ଏଇ ଜୀବନର ରୀତି
ଗୋଟିଏ ନଥିଲେ ଅନ୍ୟଟିର ମୂଲ୍ୟ
ନଥାଏ ତା ଅନୁଭୂତି ।
ମେଘ ଢ଼ାଙ୍କି ଯାଏ ନିର୍ମଳ ଆକାଶେ
କେବେ କିରଣର ଛଟା
ଖରା ନଥିଲେ ତ ଛାଇ କି ଆସିବ
ଖରା ଛାଇ ପରା ଏକା |
ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ
ଏହା ତ ଜୀବନ ରୀତି
ଅନ୍ଧକାର ସଦା ଜୀବନେ ରୁହେ ନି
ଆସେ ବି ପୁନେଇ ରାତି ।
ମଣିଷ ଜୀବନେ ଛାଇ ଆଲୁଅର
ଖେଳ ନୀତି ପ୍ରତି ଚ଼ାଲେ
ଦୁଃଖ-ସୁଖ ଆଉ ଅନ୍ଧାର-ଆଲୁଅ
ମୁଦ୍ରା ଦୁଇ ପାର୍ଶ୍ଵ ଭଲେ ।
ଆଲୁଅ- ଅନ୍ଧାର, ଖରା-ଛାଇ ଖେଳ
ଅହ ରହ ପରା ଚ଼ାଲେ
ଧୈର୍ଯ୍ୟ ର ସହିତ ସାମ୍ନା କରି ଗଲେ
ଜୀବନର ମୂଲ୍ୟ ମିଳେ ।
ସ୍ଥିର ନୁହେଁ ଏହି ମଣିଷ ଜୀବନ
ସ୍ଥିର ନୁହଁଇ ସମୟ
ବାଲ୍ୟ କାଳ ଯାଇ କୌମାର ଆସଇ
ଆସେ ପୁଣି ଯୁବା ବେଳ ।
ଯୁବା ବେଳ କିବା ସ୍ଥିର ରହେ କୁହ
ବାର୍ଦ୍ଧକ୍ୟ ପୁଣି ଆସଇ
ରୂପ ରଙ୍ଗ ସବୁ ବଦଦଳି ଥାଏ ଯେ
ଅସ୍ଥାୟୀତ୍ବ ଧାରା ଏହି |
ଜୀବନଟା ପରା କ୍ଷଣ ଭଙ୍ଗୁର ଯେ
ଏଇ ଅଛି ଏଇ ନାହିଁ
ଛାଇ ଆଲୁଅର ଖେଳ ତ ଜୀବନେ
ନିତି ପ୍ରତି ଲାଗିଥାଇ ।
ଛାଇ ଆଲୁଅର ଖେଳକୁ ସ୍ଵୀକୃତି
ଦେବା ମଣିଷ ର କାମ
ଧୈର୍ଯ୍ୟର ସହିତ ବିବେକ ପଣରେ
ଚ଼ାଲିଲେ ମିଳଇ ଧର୍ମ ।
ଜୀବନ ଅମୂଲ୍ୟ ନାହିଁ ତାର ମୂଲ୍ୟ
ରଙ୍ଗମଞ୍ଚେ ଅଭିନୟ
ଛାଇ ଆଲୁଅର ଖେଳରେ ମଣିଷ
ହେଉ ବଡ଼ କଳାକାର ।
