ନୂଆ ସଂସ୍କୃତି
ନୂଆ ସଂସ୍କୃତି
ନୂଆ ସଂସ୍କୃତିର ଶଙ୍ଖ ଫୁଙ୍କି ଦେଲ
ଦାରୁବ୍ରହ୍ମ ଅବତାରେ ।
ସମଭାବ ରୂପ ପ୍ରଚଳିତ କଲ
ଏହି ଭବ୍ୟ ସଂସାରରେ ।
ପତିତ ଜନକୁ ଉଦ୍ଧରିବା ପାଇଁ
ପତିତପାବନ ନେତ ।
ନୀଳାଚଳ ଧାମେ ଫର ଫର ହୋଇ
ଉଡ଼ୁଛି, ଦେଖେ ଜଗତ ।
ମଣିଷ ମଧ୍ୟରେ ଆର୍ଯ୍ୟ ଅନାର୍ଯ୍ୟର
ଭାବନା ଥିଲା ଉତ୍କଟ ।
ଦୂର କରି ତାକୁ ନୂତନ ସଂସ୍କୃତି
କରିଲ ତୁମେ ସ୍ଥାପିତ ।
ଶବର ଜାତିର ମୁଖିଆ ରୂପରେ
ବିଶ୍ୱାବସୁ ପରିଚିତ ।
ମଣିଷ ସମାଜେ ନୀଚ୍ଚ ଜାତି ବୋଲି
ଆଖ୍ୟା ଦେଲା ଏ ଜଗତ ।
ବ୍ରାହ୍ମଣ ଉପରେ ଛାଇ ପଡିଗଲେ
ଏହି ଶବର ଜାତିର ।
ଗଙ୍ଗାଜଳ ସିଞ୍ଚି ଶୁଦ୍ଧ ହୋଇଥାନ୍ତି
ଚିରାଚରିତ ପ୍ରଥାର ।
ଗୋଟିଏ ମାଟିରେ ମଣିଷ ଜାତିକୁ
ଗଢ଼ିଅଛ ପ୍ରଭୁ ତୁମେ ।
ତେବେ କାହିଁ ପାଇଁ ଭେଦଭାବ ହୁଏ
ଏ ପବିତ୍ର ଧରାଧାମେ ?
ମଣିଷ ଯାହାକୁ ନୀଚ୍ଚ ଜାତି ଭାବେ
ତାଙ୍କୁ ଉଦ୍ଧରିବା ପାଇଁ ।
ଯୁଗ ଯୁଗ ଧରି ଅବତାର ନିଅ
ମାନବର ହିତ ପାଇଁ ।
ମହୋଦଧି ତୀରେ ନୀଳଗିରି କୋଳେ
ନୀଳମାଧବ ରୂପରେ ।
ବିଶ୍ୱାବସୁ ଠାରୁ ପୂଜା ପାଇବାକୁ
ରହିଥିଲ ଅପେକ୍ଷାରେ ।
ଅନାଦି କାଳରୁ କନ୍ଦର ମଧ୍ୟରେ
ଗୁପ୍ତରୂପେ ଥିଲ ରହି ।
ବିଶ୍ୱାବସୁ ଛାଡି ସେ ଗିରି ଭିତରେ
କେହି ପାରିଲେନି ଯାଇ ।
ବ୍ରାହ୍ମଣ ସହିତ ଶବର ଜାତିର
କଲ ବିବାହ ବନ୍ଧନ ।
ନୀଳମାଧବରୁ ଅନ୍ତର୍ଦ୍ଧାନ ହୋଇ
ପାଲଟିଲ ଦାରୁବ୍ରହ୍ମ ।
ରାଜା ଇନ୍ଦ୍ରଦ୍ୟୁମ୍ନ କଲେ ମହାଯଜ୍ଞ
ଯଜ୍ଞ ହୋଇଲା ସଫଳ ।
କ୍ଷୀର ସାଗରରୁ ମହାଦାରୁ ରୂପେ
ଭାସି ଭାସି ଆସିଗଲ ।
ସେ ମହାଦାରୁର ଦରଶନ ପାଇଁ
ତିନିଲୋକ ଆଗମନ ।
ସେ ଦିବ୍ୟ ଦର୍ଶନ କରେ ଯେଉଁ ଜନ
ପାଇଯାଏ ମହାପୂଣ୍ୟ ।
ସେହି ମହାଦାରୁ ହେଲା ମହାମେରୁ
ନ ଟଳିଲା ତିଳେମାତ୍ର ।
ସବୁଯାକ ଚେଷ୍ଟା ହୋଇଲା ବିଫଳ
ନିରାଶା ଖେଳେ ସର୍ବତ୍ର ।
ଏପଟେ ବ୍ରାହ୍ମଣ ସେପଟେ ଶବର
ଧରିଲେ ମହାଦାରୁକୁ ।
ପଲକ ମାତ୍ରକେ ସେହି ମହାଦାରୁ
ଉଠିଲା ମହାଶୂନ୍ୟକୁ ।
ଅପୂର୍ବ ଲୀଳାର ଶକ୍ତି ବର୍ଣ୍ଣିବାକୁ
ପାଏନାହିଁ ମୁହିଁ ଭାଷା ।
ଅନାଦି କାଳରୁ ଯୋଗୀ ଜନମାନେ
କରନ୍ତି ଯାର ଅନିଷା ।
ନୂତନ ସଂସ୍କୃତି ହୋଇଲା ଆରମ୍ଭ
ଦୁଇ ଜାତି ମିଳନରେ ।
ଉଚ୍ଚ ନୀଚ୍ଚ ଭେଦ ଭାବ ରହିବନି
ମଣିଷ ଜାତି ମଧ୍ୟରେ ।
ନିଜର ମୂରତି ନିଜେ ଗଢ଼ିଦେଲ
ତୁମେ ପ୍ରଭୁ ମହାବାହୁ ।
ଅଧାଗଢା ହୋଇ ମୂରତି ରହିଲା
ସନ୍ଦେହର ଫଳ ଏହୁ ।
ଶିରୀକ୍ଷେତ୍ର ଧାମେ ଶ୍ରୀଜଗନ୍ନାଥ ନାମେ
ନିଜକୁ କଲ ସ୍ଥାପନ ।
ବ୍ରାହ୍ମଣଙ୍କ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ
କରିବେ ତୁମ ପୂଜନ ।
ବୁଝି ପାରେ ନାହିଁ ଏ ମଣିଷ ଜାତି
ତୁମ ଏହି ସର୍ଜନାକୁ ।
ଭେଦଭାବ ବାରି ଆଗେଇ ଚାଲିଛି
ଅନ୍ଧବିଶ୍ୱାସ ଆଡକୁ ।
ଧର୍ମାନ୍ଧତା ଆଉ ଅନ୍ଧବିଶ୍ୱାସ ଯେ
ବାଧକ ତୁମ ପଥର ।
ଅବାଟରେ ଯାଏ ସ୍ୱାର୍ଥନ୍ଧ ମଣିଷ
ଗଢଇ ଧର୍ମ ସଂସାର ।
ମଣିଷ ମଧ୍ୟରେ ଭେଦଭାବ ରଖେ
ଏହି ଯୁଗେ ଯେଉଁ ନର ।
ନିଷ୍ଫଳ ହୁଅଇ ପୂଜା ଫୁଲ ତାର
ବଇରୀ ଅଟେ ତୁମର ।
ଗୋଟିଏ ପୃଥିବୀ ଗୋଟିଏତ ଧର୍ମ
ଗୋଟିଏ ମାନବ ଜାତି ।
ମିଳିମିଶି ସର୍ବେ ଗଢ଼ିବା ଆସହେ
ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି ।
