ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ
ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ
ହିଆ ମୋ ମାର ଶବ୍ଦ, ପ୍ରତି କଥାରେ ହିଆ
ପ୍ରତି କଥାର ଆରମ୍ଭରେ ଓ ଶେଷରେ
ହିଆ ପଦ ହିଁ ଲାଗୁଥିଲା!
ସାହି ପଡିଶା ବି କୌତୁକରେ ,ହିଆ ବୁଢୀ ଡାକ
ହିଆ ଶବ୍ଦ ଥିଲା,ଆମ ପରିବାରର ପରିଚୟ
ବେଳେବେଳେ ଖାଲି ହିଆ, ହିଆ
ବୁଝି ଯାଉଥିଲୁ,ମା ର ଖୋଜିବା ଜିନିଷ ମିଳୁନି
ଆମ ପାଇଁ ମା କହିଲେ ହିଆ
ହିଆ କହିଲେ ବି, ମା ।
କେବଳ ମା ହିଁ ଡାକୁଥିଲା ଜଟିଆ.. ଜଟିଆ
ଘରର ସାନ ପିଲା ବୋଲି ,ମା ' ର ଗେଲ୍ଳା ପିଲା
ମୋର ସବୁ କଥା ଓ କାମ ରେ ମା ' ର ନଜର
ଜଟିଆ ଖାଇଲାକି ନାହିଁ
ଜଟିଆ କୁଆଡେ଼ ଗଲା
ଜଟିଆ କାହିଁକି କାନ୍ଦୁଛି
କେତେବେଳେ ଜଟିଆ ସ୍କୁଲରୁ ଆସିବ !!
ଜଟିଆ କହିଲା ପରେ ପରେ ହିଆ ହିଆ
କେବଳ ମା ' ର ହିଁ ଜଟିଆ ଡାକ
ସେ ଡାକରେ ବୋଳା ଥିଲା , ସ୍ନେହ ଓ ମମତା
ମା ଦେଇ ଥିବା ନାମର ଯଥାର୍ଥତା ଥିଲା
ଡେରି ହେଲେ ବି ଆଜି ଠିକ୍ ବୁଝିଛି
ଜଟିଆ ର ଅର୍ଥ ବି ଖୋଜିଛି
ଇଂରାଜୀରେ କହିଲେ ପ୍ରାୟ ବୁଝି ହେବ!!
ଅର୍ଥାତ୍ କଂପ୍ଲିକେଟେଡ ବା ଜଟିଳ
ମା ଶବ୍ଦର ଉଚ୍ଚାରଣେ କୁହୁକ ବି ଅଛି
ଭୁଲିହୁଏ ସକଳ ଯାତନା ଓ ଦୁଃଖ
ଥରେ ମା ଡାକ ଉଚ୍ଚାରଣ କଲେ ବା ହେଲେ
ଅନ୍ତର ରୁ କିଛି ଆଶ୍ଵସନା ଆସେ
ଦୁଃଖ,ବିପଦ ଓ ଆକସ୍ମିକ ଦୁର୍ଘଟଣା ବେଳେ
ସ୍ଵତଃ ପ୍ରବୃତ୍ତ ପାଟିରୁ ମା ଆସିଯାଏ
କିଛି ଉପଶମ ବି ଅନୁଭୂତ ହୁଏ
ଜଟିଆ ର ଆକ୍ଷରିକ ଅର୍ଥ ଡେରିରେ ବୁଝିଲି
ବୋଧେ ମା ଜାଣିଥିଲା ମୋ ହୃଦୟ ସ୍ପନ୍ଦନ
କୁଟିଳ ଜଟିଳ ଏହି ଜଟିଆର ମତି ଆଉ ଗତି
ନିଜ ଶୁଭ ଓ ସ୍କୁଲ୍ ନାମର ଗୁରୁତ୍ଵ କମିଛି
ସେ ମା ଡାକ ଜଟିଆ ନାମକୁ ମନରେ ଭାବୁଛି
ଦାଣ୍ଡ ଧୂଳି ପରି ଗାଳି ବି ଦେଇଛି
ଝାଡି ଝୁଡ଼ି ପୁଣି ହାତେ ଖୁଆଇଛି
ବେଶି ଦୁଷ୍ଟ ହେଲେ, କାନ ମୋଡା ମାଡ
ପରେ ପରେ ସ୍ନେହ ବୋଳା କଥା
ମୁଣ୍ଡ ଆଉଁସି ଖୁଆଇବା ସହ,ମିଠା ମିଠା କଥା
ସେମିତି ହୁଅନା ଜଟିଆ
ଭାସି ଭସାଇଛି,ସିଏ ବାତ୍ସଲ୍ୟ ପ୍ରେମରେ ।
ମା ର ହାତ ତିଆରି ଖାଦ୍ୟ
ଯାହା ବି ରନ୍ଧା ହେଉଥିଲା, ବହୁତ ସ୍ଵାଦିଷ୍ଟ
ଅମୃତ ଠୁ ବଳି,ହାତ ଚାଟେଇ ଖିଆ
ପର୍ବ ପର୍ବାଣୀରେ ପିଠ ପଣା ଖିରି
ଅତିଥି ଆସିଲେ ଅଧିକ ତିଅଣ ଓ ଭଜା
ଭୂଲି ହେଉନାହିଁ ସେ ସମୟ ଖାଇବାର ମଜା
ଅସୁସ୍ଥତା ସମୟର ସେବା ଓ ଶୁଶ୍ରୁଷା
ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା
ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା
ଦିଅଁ ଦେବତା ଙ୍କୁ ମାନସିକ ରଖି
ଗୋଡ ହାତ ଦେହ ମୁଣ୍ଡ ଆଉଁସି ଆଉଁସି
ସୁସ୍ଥ ହେବୁ ରେ ଜଟିଆ,ଠାକୁରଙ୍କୁ ମନାସ ରଖିଛି
ଆଖିରେ ଆଖିଏ ଲୁହ ପୁଣି ଅଖିଆ ଅପିଆ
ଅସରନ୍ତି କଥା ଅଛି ମୋ ମାଆର
ସଂକ୍ଷେପରେ ବି କହିବାକୁ ହେବ
ଜୀବନ ନାଟକରେ ବାଟବଣା କଥା
ମା ବୁଝି ବୁଝାଇ ବି ଥିଲା
ଘର ସଜାଡ଼ିବା ର ସୂତ୍ର କହିଥିଲା
ବାଟ ହୁଡ଼ି ଗଲେ ,ପରିଣାମ ବଡ ଭୟଙ୍କର
କହୁଥିଲା ତୁହାକୁ ତୁହା , ମୁଣ୍ଡକୁ ଆଉଁସି
ଦୂରରେ ଥାଇ ଶୁଣିଲି,ମା ' ର ଅନ୍ତିମ ସମୟ
ପହଞ୍ଚିବା ପୂର୍ବରୁ ମା 'ସେ ପାରିର ଯାତ୍ରୀ
ହତଭାଗ୍ୟ ହାୟ!! ହେଲା ନାହିଁ ଅନ୍ତିମ ଦର୍ଶନ
କିଛି ବି କରି ପାରିଲିନି
ମୁଠାଏ ଦାନା ଅବା ମିଠା ଦି ' ପଦ !!!
ପାଖେ ବସି କଥା ବି ହେଇନି
ଦୁଃଖ ସହି ଜଟିଆକୁ ମଣିଷ କରିଛି
ଅନ୍ତିମ ବେଳାରେ ବି ଜଟିଆ ଖୋଜିଛି
ଜଟିଆ ଖୋଜୁଛି ହିଆ କୁ, ତା ' ମା ଓ ହିଆ କୁ
ଜଟିଆ ର ହିଆ -ମା ଆଉ ନାହିଁ
ଯିଏ ଦେଖୁ ଦେଖୁ ଖୁସିରେ କାନ୍ଦୁଥିଲା
ଗୋଡ ହାତ ତଳେ ପଡୁ ନ ଥିଲା
ମୋ ଜଟିଆ ଆସିଛି
ଖାଇ ପିଇ ଶୋଇବା ପର୍ଯ୍ୟନ୍ତ
ହିଆ ମା ବସି ପାରୁ ନ ଥିଲା,ଗୋଟିଏ ଜାଗାରେ
ଜଟିଆ ଆଜି ବି ଘର କୁ ଯାଉଛି
ହେଲେ ହିଆ-ମା କୁ ଖୋଜୁଛି
ତା ଦୁଃଖ କହିବାକୁ
ଜଟିଆ ର ଅକଥନୀୟ ଦୁଃଖ
ଏତେ ଦୁଃଖ ଜଟିଆ ର ଦେଖି ଜାଣିବା ଆଗରୁ
ହିଆ-ମା ଆଉ ନାହିଁ..ଜଟିଆ ଆଜି ଏକୁଟିଆ
କେହି ଆଉ ଡାକୁ ନାହାନ୍ତି,ଜଟିଆ..ଜଟିଆ
ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ.....।।
