କାଠଚୂଲି
କାଠଚୂଲି
ସ୍ମୃତିରେ ହଜୁଛି ଆଜି ମାଟି ଚୂଲି
କମିଲେଣି ବୋଲି ଆପଣାବାଲି
ନାହିଁ ଆଉ ସେଇ କାଠର ନିଆଁ
ଉହ୍ମେଇ ସାଥେ ଶୀତ ନିଆଁ ପୁଆଁ ॥
ଚୂଲି ମୁଣ୍ଡ ପରେ ମାଆ ସଣ୍ଠଣା
ଶିକ୍ଷା ଚାତୁରିରେ ଘରକରଣା
ନାହିଁ ସେଇ ସଜ ହେଲା ପୁରୁଣା
ପାଶ୍ଚାତ୍ୟ ଛାଟରେ ଭାଙ୍ଗିଚି ଡେଣା ॥
ଚୂଲି ପୋଡ଼ପିଠା ରଜ ପରବ
ତା'ଆଗେ ତୁଛ ସରଗ ଦରବ
ପରବ ବଞ୍ଚିଛି ପାଶ୍ଚାତ୍ୟ ତାଳେ
ଚୂଲି ଭାସୁଅଛି ସ୍ମୃତିର ଜଳେ ॥
ସରାଗ ତ' ନାହିଁ ସଂସ୍କୃତି ପ୍ରତି
ଆଶା ଆକାଂକ୍ଷାରେ ଢଳୁଛି ମତି
ଚୂଲି ବଞ୍ଚିଅଛି କିଞ୍ଚିତ ଆଜି
ଆଗାମୀ ପିଢିକୁ ଥିବ ଖାଲି ଛବି ॥