STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
381


ବନ୍ଧୁତ୍ଵ ରକ୍ଷା ଜୀବନ ଦୀକ୍ଷା

    ବନ୍ଧୁ ପ୍ରକୃତ ସଖା,

ବନ୍ଧୁଟି ବିନା ଜୀବନ ଯାତ୍ରା

   ଲାଗ‌ଇ ଫାଙ୍କା ଫାଙ୍କା।

ବନ୍ଧୁ ଅନ୍ତର ଦୁଃଖ ବେଦନା 

   ବନ୍ଧୁଟି ବୁଝେ ସିନା,

ଜଣେ ବନ୍ଧୁଟି ହେଲେ ଶରୀର 

   ଅନ୍ୟ ଜଣଟି ଆତ୍ମା।

ଦୁଃଖ ସୁଖରେ ଭଲ ମନ୍ଦରେ

   ଶ୍ମଶାନ ରାଜଦ୍ଵାରେ‌,

ଯିଏ ସେ ଥାଏ ସେ ଏକା ବନ୍ଧୁ

   ପଢିଛୁ‌ ପିଲାବେଳେ।

ନ‌ଈଟି ଦିଏ ଥଳ‌ ସୁଜନେ

   ବନ୍ଧୁ ଦିଅଇ‌ ବଳ,

ବନ୍ଧୁଟି ପାଖେ ଥିଲେ ଅଚିରେ

    ଲଙ୍ଘିବା ସିନ୍ଧୁ ଜଳ‌।

ବନ୍ଧୁର ହାତ ଥିଲେ ଯେ କାନ୍ଧ

    ବନ୍ଧୁକ ଯାଏ ଡରି,

ବନ୍ଧୁର ହାତ ବନ୍ଧୁଟି‌ ପାଇଁ

    ଅଟ‌ଇ ଆଶାବାଡ଼ି।

ମନରେ ମନ ହେଲେ ମିଳନ

    ବନ୍ଧୁତ୍ୱ ହୁଏ ସୃଷ୍ଟି,

ବିଭିନ୍ନ ଜାତି ନାନା ପ୍ରକୃତି

    ବନ୍ଧୁ ଦିଶନ୍ତି ଏଠି।

ବେଙ୍ଗର ବନ୍ଧୁ ବେଙ୍ଗୁଲୀ ରାଣୀ

    ବଗୁଲୀ ବନ୍ଧୁ ବଗ,

ଗଛରେ ବସା ବାନ୍ଧେ ଚଢ଼େଇ 

    ରଖି ବନ୍ଧୁତ୍ୱ ଭାବ‌।

ଫୁଲର ବନ୍ଧୁ କଳା ଭଅଁର

    ମଦ୍ଯପ ବନ୍ଧୁ ମଦ,

ସଜନୀ ବନ୍ଧୁ ନିରୋଳା ରାତି

    ଆଖିର ବନ୍ଧୁ ନିଦ‌।

ଫଗୁଣ ବନ୍ଧୁ ମଳୟବାସ

    ଶ୍ରାବଣ ବନ୍ଧୁ ମେଘ,

ସ୍ୱାମୀର ବନ୍ଧୁ ପତ୍ନୀଟି ଏଠି

    ଭାଗ୍ୟର ବନ୍ଧୁ ଭୋଗ।

ସମୟ ବନ୍ଧୁ ଅଭୁଲା ସ୍ମୃତି

    ଛାତ୍ରର ବନ୍ଧୁ ପାଠ,

ଜହ୍ନକୁ କ‌ଇଁ ରହେ ତ ଚାହିଁ

    ବାଟୋଇ ବନ୍ଧୁ ବାଟ।

କବିତା ଅଟେ କବିର ବନ୍ଧୁ

    ‌ଗାୟକ ବନ୍ଧୁ ଗୀତ,

ଗରିବ ବନ୍ଧୁ ଭଙ୍ଗା ଚାଳିଆ

    ଜ୍ଞାନୀର ଭାଗବତ‌।

ସୁଦାମା ବନ୍ଧୁ ସଖା ଶ୍ରୀକୃଷ୍ଣ

    ‌ସୁଗ୍ରୀବ ବନ୍ଧୁ ରାମ,

ଯୁଗ ଯୁଗକୁ ଭକତ‌ ବନ୍ଧୁ

   ପ୍ରଭୁ ପରମ ବ୍ରହ୍ମ।

ତୁମର ବନ୍ଧୁ ଯିଏ ବା ଥାଉ

   ପାଠକ ବନ୍ଧୁ ମୋର,

ଦର୍ଶକ ବିନା କି ଅଭିନୟ

   କରେ ସେ କଳାକାର? 

ବନ୍ଧୁ ଶବ୍ଦର ନାହିଁ ତୁଳନା

   ବନ୍ଧୁ ଅତୁଟ ପ୍ରେମ,

ଶେଷ ବେଳର ପ୍ରକୃତ ବନ୍ଧୁ

    ଅମୃତ ରାମ ନାମ।

ବିଶ୍ଵାସେ ବିଷ ଦେଇ ବନ୍ଧୁତ୍ୱ

    ନଷ୍ଟ ନକର ଭାଇ‌,

ସମସ୍ତେ ମୁକ୍ତି ପାଇବେ‌ ହେଲେ

    ବନ୍ଧୁଦ୍ରୋହୀର‌ ନାହିଁ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy