STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

ଲୁହ

ଲୁହ

1 min
354

         

ଖୁସିରେ ମନ ଉଛୁଳିଲେ ଓଠରେ ଫୁଟେ ହସ

ହୃଦୟରେ ଲାଗିଲେ କୋହର ଶକ୍ତ ଆଘାତ

ଆଖି କୋଣରୁ ଧାର ଧାର ବହି ଆସେ ଲୁହ

ଏ ଲୁହ ବାହୁନି ବାହୁନି ନୀରବେ କହେ କଥା

ପ୍ରକାଶୁ ଥାଏ ଆପଣାର ଲୋକ ପାଖରେ 

ତା' ଜୀବନ ଯନ୍ତ୍ରଣାର ଯେତେ ଅସହ୍ୟ ବ୍ୟଥା

ଛାତିରେ ଜମାଟ ବାନ୍ଧି ରହେ ଅବ୍ୟକ୍ତ କୋହ 

ପାଲଟିଥାଏ କଠିନ ଶିଳା ପ୍ରାୟେ ବରଫ ଖଣ୍ଡ

ଅନ୍ତର୍ଦାହରେ ଜଳେ ଯେବେ ଇପ୍ସିତ ଆଶା

ବେଦନାର ତାପରେ ତରଳି ହୁଏ ସେ ସବୁ ଲୁହ

ମନରେ ଅହେତୁକ ଦୁନିଆଁର ମାୟା ମୋହ

ଖୋଜିବା ପାଇବା ଆଉ ପାଇ ହଜାଇ ଦେବା

ବିଚ୍ଛେଦର ସୂକ୍ଷ୍ମ ଫାଙ୍କରେ ଝଲସେ ସ୍ପଷ୍ଟ 

ଅନାଗତ ଭବିଷ୍ୟତର କାରୁଣ୍ୟଭରା ଚିତ୍ରପଟ୍ଟ 

ବିଗତ ଦିନର ଅଭୁଲା ସ୍ମୃତିକୁ ତଉଲେ

ବର୍ତ୍ତମାନ ସହିତ ଏକ ସମ୍ଭାବନାର ଆବେଗେ

ପାଏ ନାହିଁ ଯେବେ ତା'ର କୂଳ କିନାରା

କରେ ନିଃସଙ୍ଗତାରେ ଅସହାୟତା ବୋଧ

ଛଟପଟ ହୁଏ ଅଶାନ୍ତି ଅସନ୍ତୋଷର ଆଗେ 

ସାନ୍ତ୍ବନାର ପଦିଏ କଥା କି ଆଶ୍ଵାସନାର ହାତ

ମୁଣ୍ତରେ ନ ରଖିଲେ କେହି ଆତ୍ମୀୟଜନ

ଭାଙ୍ଗିପଡ଼େ ସେ ଶୁଖିଲା ଡ଼ାଳ ପରି ଖଣ୍ଡ ଖଣ୍ଡ

ଅବଶୋଷରେ ଦୀର୍ଘନିଃଶ୍ଵାସ ପକାଏ ଘନ ଘନ 

ଅବାଧରେ ଝରଣା ପରି ଝରି ଆସେ ଲୁହ

ସ୍ଵତଃ ପ୍ରବୃତ୍ତ ଭାବରେ ହୃଦୟକୁ ଫଟାଇ ଦେଇ

ଦୁନିଆଁରେ ଲହୁର ଅତୁଟ ପବିତ୍ର ସଂପର୍କ ରଖି 

ସରାଗରେ ନିଜର କେହି ଯଦି ପୋଛିଦିଏ ଲୁହ  

ହୃଦୟରେ ଥାଏ ସେ ଅଭୁଲା ଅପାସୋରା ହୋଇ 

ମନ ଆକାଶରେ ଝଲସେ ଆଶାର ଇନ୍ଦ୍ରଧନୁ

ଅନୁଭବ କରି ହୁଏ କି ଦୁଃଖ ସଂପର୍କ ବିନୁ 

ଆଉ ଯେବେ ପର କରି ଦେଇ ଚାଲିଯାଏ ଦୂରକୁ 

ଅଫେରା ଅଦେଖା ରାଇଜର ସେ ମୂଲକକୁ

ଜିଇଁଥିବା ଯାଏ ତା' ପାଇଁ ଝରେ ମମତାର ଲୁହ 

ହସ ହୁଏତ କାହାକୁ କରିପାରେ ଅଣଦେଖା 

ମାତ୍ର ଏ ଲୁହର ସଂପର୍କ ବିଧିର କପାଳ ଲେଖା

କାହା ଆଖିରୁ ପୋଛି ଦେଇ ପାରିଲେ ସେ ଲୁହ

ଯଥାର୍ଥ ଲାଗେ ଜୀବନ ସ୍ରୋତର ପ୍ରବାହ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy