ଶରତ ଆକାଶ ଜହ୍ନ
ଶରତ ଆକାଶ ଜହ୍ନ
ଋଷ ନା'ରେ ମନ,
ହସିବ ସେ ଜହ୍ନ..!
ହସରେ ଆଣି ସରାଗ..!!
ତୋ'ଦେହରେ ସିନା ଶୂନ୍ୟ ଶିହରଣ,
ସେ'ତ ଶରତ ଆକାଶ ଜହ୍ନ..!
ଜହ୍ନ ଟିଏ, ସେ ଜହ୍ନ ଟିଏ,
ସରଗ ଅପ୍ସରୀ ଜହ୍ନ ଟିଏ,
ମେଘ ରାଇଜରୁ ଆସିଚି ସେ ଜହ୍ନ,
ସ୍ବପ୍ନ ଅଳସୀ ମନ ଟିଏ,
ରେ ଜହ୍ନ..!
ହସି ଦେ'ରେ ଜହ୍ନ..,
ଫୁଟି ଯାଉ ଫୁଲ,
ଫୁଲରେ ଭରି ତୋ'ରଂଗ,
ତୋ'ରଂଗଟି ସିନା ଟିକେ ଲାଗେ ଫିକା,
ତା' ରଙ୍ଗେ ସାତଟି ରଂଗ..!
ଫୁଲଟିଏ, ସେ ଫୁଲଟିଏ
ଲକ୍ଷେ ହୀରା ମୋତି ଫୁଲ ସିଏ,
ମନ ପାରିଜାତ,ହସ ଚନ୍ଦ୍ରମୁଖୀ,
ରକ୍ତ ଗୋଲାପୀ କଢି ଟିଏ..,
ରେ ଫୁଲ..!
ବହିଯା'ରେ ନଈ,
ଫଲ୍ଗୁଟିଏ ହୋଇ,
ହୃଦୟେ ଭରି ଜୁଆର..,
ତୋ'ଦେହଟା ସିନା ନୀରବ ନିଥର,
ଢେଉ ସେ 'ରଂଗ ଫୁଆର,
ନଈ ଟିଏ, ସେ ନଈ ଟିଏ,
ପ୍ରେମ ପ୍ରଣୟିନୀ ପରୀ ଟିଏ,
ଶହେ ଶ୍ରାବଣର ସ୍ରୋତସ୍ୱିନୀ ସିଏ
ପ୍ରୀତି ଝରଣାର ନଈଟିଏ,
ସେ ନଈ..!
ଫେରିଆ ଫଗୁଣ..,
ଦେହରେ ପୁଲକ,
ମନରେ ନେଇ ମହକ,
ତୋ'ଦେହଟା ସିନା ସ୍ଥାବର ଜଙ୍ଗମ,
ସେ ପରା ରଂଗ ବସଂତ..!
ଗୋରୀଟିଏ,ସେ ଗୋରୀଟିଏ,
ଭାବନା ରଂଗର ଗୋରୀଟିଏ
ତା'ଦେହ ଆଭାରେ ସପନର ରଂଗ,
ଇନ୍ଦ୍ରଧନୁ ବି ସରି ନୁହେଁ..!
ସେ ରଂଗ,ରଂଗ ବସଂତ,
ସେ ଫୁଲ, ଫୁଲ ଫଗୁଣ,
ସେ ପ୍ରେମ,ପ୍ରେମ ପୁଲକ
ସେ ନଈ,ରଂଗ ଫୁଆର,ରେ ଜହ୍ନ.!!

