ଶରଣାର୍ଥୀର ଖେଦ
ଶରଣାର୍ଥୀର ଖେଦ
ଯେଉଁ ପୁଣ୍ୟ ଭୂମି ପରେ ହୋଇଥିଲା
ଜୀବନର ଅଭ୍ୟୁଦୟ ,
'ମାଆ' 'ମାଟି ମାଆ' ସ୍ବର୍ଗୀୟ ପରଶେ
ସପନର ସୂର୍ଯ୍ୟୋଦୟ । [୧]
ଷଠି ଘର ଆଉ ଧୂଳି ଖେଳ ମୋହ
ସମୟ କି ଏଡି ପାରେ,
ଜୀବନ ଜିଇଁବା ଆତ୍ମ ପ୍ରତୟଟି
ଜୀବନ କି ଫେଡ଼ି ପାରେ ? [୨]
କେବେ ଧର୍ମ, କେବେ ସାମ୍ରାଜ୍ୟବାଦର
ତୁଷ୍ଟି କରଣର ପାଇଁ ,
ହିଂସା, ନିର୍ଯାତନା, ସଂତ୍ରାସବାଦ ବା
ସହରୀ କାରଣ ପାଇଁ। [୩]
ସ୍ବାର୍ଥୀ ସଭ୍ୟତାର ଭବ୍ୟତା ପାଇଁକି
ମୂଲ ଦେଇଅଛୁ କେତେ,
ଭିଟାମାଟି ମୋହ ତୁଟାଇ ଆସିବା
ଆହା କି ଦାରୁଣ ସତେ ! [୪]
ପରିଚିତି ମୋହ, ପରିଚୟ ପତ୍ର
ଅସୂୟାରେ ଫିଙ୍ଗି ଦେଇ ,
ଅଜଣା ମୁଲକେ ପ୍ରତୟ ଖୋଜୁଛୁ
ପରତେ ଯିବ କେ କାହିଁ ? [୫]
ନାଗରିକତାର ଗାରିମା ହଜାଇ
ବେକାରୀ, ଅସୁରକ୍ଷିତ,
ଉଚ୍ଚ ଶିକ୍ଷା, ସରକାରୀ ଯୋଜନାର
ସୁଫଳୁ ହେଲୁ ବଂଚିତ। [୬]
ଆନୁଗତ୍ୟ ଆମ ପରଖିବା ପାଇଁ
ଥାଆନ୍ତାକି ମାନଦଣ୍ଡ ,
କିଏ ସାଧୁ, କିଏ ଚୋର-ଖଣ୍ଟ,ସବୁ
ହୋଇ ପାରନ୍ତାକି ସିଦ୍ଧ ! [୭]
ଆମକୁ ଆଶ୍ରୟ ଦେଇ ଆସିଥିବା
ଉଦାର ଦେଶର ପାଇଁ,
"ଶରଣାର୍ଥୀଙ୍କର ସମସ୍ୟା" ରୂପକ
ସମସ୍ୟା ବଢ଼ନ୍ତା ନାହିଁ । [୮]
ଖିଆଲୀ ପବନ, ଛଳ ଛଳ ନଈ,
ବିହଙ୍ଗମ ରାଜି ପାଇଁ,
ସୀମା ରେଖା ନାହିଁ, ସୀମାର ରେଖାଟି
ମଣିଷ ସମାଜ ପାଇଁ ! [୯]
କାନ୍ଦିଥିଲା ଦିନେ 'ବିଶ୍ବ କବି' ପ୍ରାଣ
"ସୀମାହୀନ ବିଶ୍ବ "ପାଇଁ ,
ବେଦର ନିନାଦ, "ବିଶ୍ୱଟି କୁଟୁମ୍ବ"
ଯାଆନ୍ତାନି ସତ ହୋଇ ! [୧୦]