ଶ୍ରମିକର ଅନ୍ତଃର୍ଦାହ
ଶ୍ରମିକର ଅନ୍ତଃର୍ଦାହ
ଶ୍ରମିକଟିଏ ମୁଁ ଶ୍ରମ ମୋର ପୂଜା
ସୂରୁଜ ଉଠିବା ଆଗରୁ ଉଠେ
ମୋ ଶ୍ରମ ଦାନରେ ପ୍ରତି ପରିବାର
ଖାଇବାର ମଜା ସାଉଁଟୁ ଥାଏ ।
ପଖାଳ କଂସାରେ ଛୋଟିଆ ସପନ
ମାଟି କାଦୁଅ ମୋ ଦେହ ଚନ୍ଦନ
ମୁଣ୍ଡ ଝାଳ ମୋର ତୁଣ୍ଡ ପିଇଯାଏ
ପାଏନି ଟିକିଏ ମୁଁ ସନମାନ ।
ରାସ୍ତାଘାଟ ଗଢେ ଅଟ୍ଟାଳିକା ଗଢେ
ନିରଳସ ମୋ ଜୀବନ ଧାରା
ମୋ ଚାଳ ଛପରେ ସୂର୍ଯ୍ୟ ଚନ୍ଦ୍ର ଦିଶେ
କେହି ଦିଅନ୍ତିନି ଟିକିଏ ନିଘା ।
ଶ୍ରମିକଟିଏ ମୁଁ ଜୀବନ ଜଞ୍ଜାଳେ
ଶ୍ରମ ଦାନ କରି ପାଏ ଆନନ୍ଦ
ବୟସ ମୋହର ଯାହା ବି ହେଉନା
ନାମ ଧରି ସର୍ବେ ଦିଅନ୍ତି ଡାକ ।
କଳକାରଖାନା ଖଣିରୁ ଖାଦାନ
ସବୁଠି ମୋହର ହାତର ଛୁଆଁ
ପଥର ଦେହରେ ଜୀବନ ଫୁଟାଇ
ଆମ ସଂସ୍କୃତିକୁ ଦିଅଇ ରାହା ।
ଦେଶର ପ୍ରଗତି ମୋ ଶ୍ରମରେ ଗଢ଼ା
ଦେଶ ସଂସ୍କୃତିରେ ମୋହରି ହାତ
ସବୁ ଉନ୍ନତିର ଆଧାର ମୁଁ ହେଲେ
ମୋ କଥା ମୋ ଭାବ କହ ତ ସତ ।
କାମରେ ଟିକିଏ ଡେରି ହୋଇଗଲେ
ଉତ୍ତର ମାଗ ଯେ କଟୁ କଥାରେ
କାରଣ ଜାଣିବା ବହୁ ବଡ଼ କଥା
ମଜୁରୀ କମାଇ ଦିଅ ଯେ ମୋତେ ।
ଶ୍ରମିକର କଥା ଶୁଣିବା ପାଇଁ କି
ତୁମ ପାଖେ ସମୟର ଅଭାବ
ମୋ ପରିବାରର ଅକୁହା ବେଦନା
ବୁଝିବାକୁ କାହିଁ ତୁମର ବେଳ ।
କାମକୁ ଯିବାରେ ଡେରି ହୋଇଗଲେ
ଝିଙ୍ଗାସ ବଚନ ଶୁଣାଇ ଦିଅ
କାମରୁ ଫେରିବା ଡେରି ହେଲେ କିବା
ଅଧିକା ମଜୁରୀ ଯାଚି ଦେଇଛ ?
ସ୍ଵଳ୍ପ ମଜୁରୀରେ ସଂସାର ଚାଲଇ
ପିଲାଙ୍କ ଅଳିରେ ତାଲା ପଡ଼ଇ
ସେ ଅନ୍ତଃର୍ଦାହକୁ କିଏ ବୁଝିଛ କି
ସତ କରି କୁହ ମୋତେ ବୁଝାଇ ।
ଅଳ୍ପକେ ସନ୍ତୁଷ୍ଟ ସପନ ବନ୍ଧିତ
ଯେଉଁଠି ଥିଲି ମୁଁ ସେଇଠି ଅଛି
ଯୋଜନା ପରେ ତ ଯୋଜନା 6ହଉଛି
କାଗଜ କଲମ ଚଷା ଚାଲିଛି।
ପ୍ରଗତିର ଅଟୁ ଆମେ ମୁଳଦୁଆ
ଆମ ଚିହ୍ନବର୍ଣ୍ଣ ଉଭେଇ ଯାଏ
ପ୍ରଶଂସାର ଫୁଲ ଝରି ପଡୁଥାଏ
ବଡ଼ ବଡ଼ିଆଙ୍କ ପାଦ ତଳରେ ।
ମୋ ପରିବାରର ଦୟନୀୟତାକୁ
କେବେ କି ଦେଖିଛ ହୃଦୟ ଦେଇ
ଶିକ୍ଷା ସ୍ୱାସ୍ଥ୍ୟ କଥା ବୁଝି ପାରେ ନାହିଁ
ସଂସାରର ପେଟ ପୁରାଉ ଥାଇ ।
ଚାହେଁ ନାହିଁ ତୁମ ଠାରୁ ଧନଧାନ୍ୟ
ଚାହେଁ ସଦୃଦୟ ମିଠା କଥାଟେ
ମଣିଷ ପଣିଆ ମାଗୁଛି ତୁମ ଠୁ
ଜୀବନ ଜିଇଁବା ସହଜ ହୁଏ ।
