STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଶ୍ରୀରାମ ଗଙ୍ଗା ନଦୀ ରେ ନୌଯାତ୍ରା

ଶ୍ରୀରାମ ଗଙ୍ଗା ନଦୀ ରେ ନୌଯାତ୍ରା

2 mins
174


ଅହଲ୍ୟା ଉଦ୍ଧାର କରି ଗଙ୍ଗା କୂଳେ ହୋଇଲେ ଆସି ଉପଗତ

ସଙ୍ଗେ ବିଶ୍ଵାମିତ୍ର ମହର୍ଷି ଲକ୍ଷ୍ମଣ, ଦିବ୍ୟ ରୂପ ଦିଶେ ବିଚିତ୍ର

ଯେରୂପ, ଦର୍ଶନେ ପ୍ରକୃତି ମୋହିତ

ଦୂର୍ବା ଦଳ ରାମ ଲକ୍ଷ୍ମଣ ସୁବର୍ଣ୍ଣ ସେ ଚିତ୍ର ବର୍ଣ୍ଣନା ଅତୀତ ।


ମିଥିଳା ନଗର ଯିବାକୁ ତତ୍ପର ଦେଖିବା ପାଇଁ ସ୍ଵୟମ୍ଵର

ଗଙ୍ଗା ପାର କରି ଯିବାକୁ ଲକ୍ଷ୍ମଣ ଡାକୁଛନ୍ତି ଆରେ ଧିବର

କୂଳକୁ, ଡଙ୍ଗା ଆଣ ବାବୁ ସତ୍ଵର

ପାରିକରି ଦିଅ ନାଉରିଆ ଆସି ଆଉ ନକରତୁ ଉଛୁର ।


ଶୁଣି ନଶୁଣିଲା ପରାୟ ନାଉରୀ ଗୁମାନ ମାରିଣ ବସିଛି

ବୋଲନ୍ତି ଲକ୍ଷ୍ମଣ ବଧିର ହେଲୁକି ମୋ ଡାକ କର୍ଣ୍ଣେ ନଶୁଭୁଛି

ନାଉରୀ, ଆଖି କୁ ତୋ ଦିଶେ ନାହିଁକି

ଆସିବା ପାଇଁକି ସଂକେତ ଦେଇମୁଁ ଦେଖରେ ହାତରେ ଠାରୁଛି।


ତଥାପି ନଶୁଣି ଧିବର ବସିଛି ହାତେ କାତ ଧରି ଡଙ୍ଗାରେ

କ୍ରୋଧ ଜର୍ଜରିତ ସୌମିତ୍ରୀ ‌ବୋଲନ୍ତି ଦଇବ ତୋ ବାମ ହେଲାରେ

ଧିବର, ଦେଖିକି ପାରୁନୁ ପାମର

ସ୍ଵଂୟ ରାମ ଚନ୍ଦ୍ର ଉଭା ହୋଇଛନ୍ତି ଯିବାକୁ ମିଥିଳା ନଗର ।


ଶୁଣିଣ ଧିବର ବୋଲଇ ଠାକୁର ଚିନ୍ତାରେ ହୁଏ ମୁଁ ଅସ୍ଥିର

କେମନ୍ତେ ପାର କରିବି ଆପଣଙ୍କୁ ଶଂକା ଉପୁଜେ ମୋ ମନର 

ଯାହାର, ପଦରଜ ସ୍ପର୍ଶେ ପଥର

ଅବଳା ପାଲଟେ କିପରି ନୌକାରେ ବସାଇବି କେଉଁ ପ୍ରକାର ।


ମନରେ ଆଶଂକା ଅକସ୍ମାତେ ନୌକା ହୋଇଯାଏ ଯେବେ ନାୟୀକା 

ବୁଡିବ ମୋ ଭେଳା ମୋ ଘର ସଂସାର ବୁଡିବ ଜୀବନ ଜୀବିକା

ଯେବେ ହେ, ପାଦ ଧୋଇ ଦେବି ତୁମର

ତେବେ ଯାଇ ସିନା ଡଙ୍ଗାରେ ବସାଇ ଗଙ୍ଗାରେ କରିବ ବିହାର।


ଶୁଣି ରଘୁନାଥ ବଢାଇଲେ ପାଦ ଯେ ପାଦ ଦେବଙ୍କୁ ଅଲଭ୍ୟ

ଧୌତକଲା ଛାର ଧିବର ସେପଦ ଲଭିଲା ଚରଣ ଅମୃତ

ପତିତ, ଉଦ୍ଧାରି ପତିତପାବନ

ନବୀନ ନୀରଦ ତନୁ ରାମଚନ୍ଦ୍ର ଶୋଭାବନ ବିଧୁ ବଦନ ।


ବିଶ୍ଵାମିତ୍ର ରୁଷି ବଖାଣି କୁହନ୍ତି ଗଙ୍ଗାନଦୀ‌ ଜନ୍ମ ବୃତ୍ତାନ୍ତ

ବିଷ୍ଣୂ ପଦ ନଖ କୋଣେ କେଉଁକାଳୁ ଗୁପତେ ଥିଲେ ଗଙ୍ଗା ମାତ

ତପସ୍ୟା, ବଳେ ଭଗିରଥ ଆଣିଲେ

ପୂର୍ବଜ ଉଧାର କରି ରଚିଗଲେ କିରତି ମହୀ ମଣ୍ଡଳେ ।


ନାବେ ବସି ଗଙ୍ଗାନଦୀରେ ବିହାର କରୁଅଛନ୍ତି ରଘୁମଣି

ସ୍ଵଂୟ ନାରାୟଣ ସହିତ ଲକ୍ଷ୍ମଣ ବକ୍ଷରେ ପତିତପାବନୀ

ପାଇଣ, କଳକଳ ଧ୍ଵନୀ ଛଳରେ

ବନ୍ଦନା କରଇ ଜଗତ ପତିଙ୍କୁ ଆନନ୍ଦିତେ ମହା ରୋଳରେ ।


ଗଙ୍ଗା ପାର ହୋଇ ବିଦେହେ ପ୍ରବେଶ ହୋଇଲେ ଯାଇ ରଘୁବୀର

ବିଦେହେ ବୈଦେହୀ ଜନକ ନନ୍ଦିନୀ ଉତ୍ସବ ରତ ସ୍ଵୟମ୍ଵର 

ଦିଶଇ, ଅଳକା ଭୂବନ ସମାନ

ରାମ ଆଗମନେ ଅପୂର୍ବ ଶୋଭା ସେ ସତେକି ବୈକୁଣ୍ଠନ ଭୁବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy