STORYMIRROR

Sarojini Mishra

Classics

4  

Sarojini Mishra

Classics

ଶ୍ରୀକ୍ଷେତ୍ରେ ଚ଼ାରି ଶିଳା

ଶ୍ରୀକ୍ଷେତ୍ରେ ଚ଼ାରି ଶିଳା

2 mins
19

ପୁଣ୍ୟ ପୟୋଧି ଆଧ୍ୟାତ୍ମର ସ୍ରୋତ
ପବିତ୍ର ମୋର ଭାରତ
ଉତ୍କଳର ନୀଳ କନ୍ଦର ତନ୍ମଧ୍ୟେ
ଆଧ୍ୟାତ୍ମ ମଣ୍ଡଳେ ଖ୍ୟାତ ।

ଶ୍ରୀକ୍ଷେତ୍ର ଶୀନେତ୍ର ଶ୍ରୀମନ୍ଦିର ଗାତ୍ର
ପରମ୍ପରା ସୂତ୍ରେ ବନ୍ଧା
ପ୍ରତି ସୋପାନ ର ବିଭୂତିରେ ଲେଖା
ଦର୍ଶନ ପ୍ରୀତି ସୁଗନ୍ଧା |

ଚାରିଯୁଗ, ଚାରିବେଦ, ଚାରିବର୍ଣ୍ଣ
ଚ଼ାରି କର୍ମର ଗାରିମା
ଶ୍ରୀକ୍ଷେତ୍ରର ଚାରିଶିଳା ଅନୁପମ
ଦିବ୍ୟ ଚେତନା ମହିମା ।

ଚ଼ାରି ତୀର୍ଥ ଚ଼ାରି କ୍ଷେତ୍ର ମଧ୍ୟେ ଖ୍ୟାତ
ଆମ ଏ ଶ୍ରୀକ୍ଷେତ୍ର ଧାମ
ମୁକ୍ତି କ୍ଷେତ୍ର ସିଏ ଭକ୍ତି କ୍ଷେତ୍ର ସିଏ
ଜୀବନେ ଜଗାଏ ପ୍ରେମ |

ଶ୍ରୀକ୍ଷେତ୍ରର ଚାରିଶିଳା ଶିଳା ନୁହେଁ
ଜୀବନ ତତ୍ତ୍ଵ ବଖାଣେ
ଶିଳା ଶିଳାରେ ଜୀବନ ଲକ୍ଷ୍ୟର
ଜୀବନ ମହତ୍ତ୍ଵ ଭଣେ ।

ଶ୍ରୀକ୍ଷେତ୍ର ର ପ୍ରତି ରେଣୁରେ ରେଣୁରେ
ତତ୍ତ୍ଵମୟ ଗାଥା ଲେଖା
ପୁଣ୍ୟ ନୀଳାଚ଼ଳ ପ୍ରତିଟି ସ୍ପନ୍ଦନ
ଗାରିମା ର ଭବ୍ୟ ଗୁମ୍ଫା ।

ଚାରିଗୋଟି ଶିଳା ଶ୍ରୀକ୍ଷେତ୍ର ଧାମରେ
ସ୍ୱତନ୍ତ୍ର ବାରତା ଦିଏ
ଯମଶିଳା,ପିତୃଶିଳା, ମୁକ୍ତିଶିଳା
କଇବଲ୍ୟ ଶିଳା ଶୋହେ ।

ଯମଶିଳା ପାପ ନାଶନ କରଇ
ବାଇଶି ପାଦଚ୍ଛେ ଥାଇ
ପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ
ପାପ ନାଶନ କରଇ |

ଦ୍ୱିତୀୟ ପାବଚ୍ଛେ ପଡିରହି ସିଏ
ଭକତ ପାଦକୁ ଛୁଏଁ
ପାପ ଧୋଇ ନେଇ ଉକତ ଜନଙ୍କୁ
ପ୍ରଭୁ ଦର୍ଶନ କରାଏ ।

ପ୍ରଭୁ ଦରଶନ ଉପରାନ୍ତେ ଶିଳା
ନ ପାଏ ପାଦ ପରଶ
ପାପ ନାଶ ପରେ ପବିତ୍ର ଚେତନା
ଧରି ରଖିବାର ଆଶ ।

ପିତୃପୁରୁଷଙ୍କ ଅନୁରକ୍ତି ଲେଖା
ପିତୃ ଶିଳାର ତତ୍ତ୍ଵରେ
ସ୍ଵର୍ଗଦ୍ଵାର ପାଶ ବାଉଳି ମଠରେ
ଏ ଶିଳା ଯେ ଶୋଭାପାଏ ।

ଆମ ସଂସ୍କୃତିର ଶ୍ରଦ୍ଧା ଓ ଶ୍ରାଦ୍ଧର
ସ୍ୱତନ୍ତ୍ର ଯେ ପରଂପରା
ପିତୃ ପୁରୁଷଙ୍କ ମୁକ୍ତିର ବାରତା
ଏ ଶିଳାର ସୁଚ଼ିଧାରା ।

ଜୀବନ ଗୀତାର କର୍ତ୍ତବ୍ୟ ଗାଥାକୁ
ଏହି ଶିଳା ବଖାଣଇ
ପୂର୍ବେଶ୍ଵରୀ ଙ୍କର ସମ୍ମାନର କଥା
କାନେ କାନେ କହୁଥାଇ ।

ଶ୍ଵେତଗଙ୍ଗା ତଟ ପୁତ ଓ ପବିତ୍ର
ଶ୍ଵେତ ମାଧବ ଙ୍କ ସ୍ଥିତ
ମୁକ୍ତିଶିଳା ଗୋଟି ତନ୍ମଧ୍ୟେ ପ୍ରକଟ
ବରାହୀ ଦେବୀ ପୂଜିତ ।

ଶରୀରର ପୀଡ଼ା ଅବ୍ୟକ୍ତ ଯନ୍ତ୍ରଣା
ପ୍ରାଣୀ ର ଅନ୍ତ ସମୟ
ମୁକ୍ତି ପାଇଁ ଜୀବ ଶିଳା ରେଣୁ ଲେପେ
ହେବାକୁ ମୁକତି ମୟ |

ଶିଳା ଲୀଳାମୟ ଚାରି ଦିଗେ ଲୟ
କୈବଲ୍ୟ ଶିଳା ଅମୂଲ୍ୟ
ଗର୍ଭ ଗୃହେ ଥାଇ ଲକ୍ଷ୍ମୀ ରାନ୍ଧଣାକୁ
ବୁକେ ନେଇ ହର୍ଷୋତ୍ଫୁଲ ।

କୈବଲ୍ୟ ଶିଳାରେ ପ୍ରଭୁଙ୍କ ମଣୋହୀ
ଭକ୍ତି ମୟ ସ୍ରୋତେ ଭରା
ସ୍ପର୍ଶ ମାତରକେ ସାଯୁଜ୍ୟ ମୁକତି
କୈବଲ୍ୟତ୍ୱ ପ୍ରାପ୍ତି ପରା ।

ଏ କ୍ଷେତ୍ର ବାଲିରେ ଭାବର ପସରା
ପଥରେ ଲେଖା ଯେ ଗୀତା
ଦାରୁ କାଠେ ବ୍ରହ୍ମ ଦାରୁ ବ୍ରହ୍ମ ପରା
ସେ ପରା ବିଶ୍ଵ ବନ୍ଦିତା |

ନିର୍ଜୀବ ରେ ଏଠି ବିମୁଗ୍ଧ ସଂଗୀତ
ଭାବର ଲହରୀ ଖେଳେ
ଏ ଶ୍ରୀକ୍ଷେତ୍ର ଧାମ ଦିବ୍ୟ ଅନୁପମ
ଶାନ୍ତି ର ବିଭୂତି ବୋଳେ ।
 


Rate this content
Log in

Similar oriya poem from Classics