ସହରୀ ବଣମଣିଷ
ସହରୀ ବଣମଣିଷ
ବଣ ମଣିଷର ଦେଖାହେଲା ଦିନେ
ସୁନ୍ଦରୀ ଝିଅର ସାଥେ
ତା' ପାଖକୁ ଯାଇ ପଚାରିଲା ତାକୁ
ମନେ ଥିବା କଥା କେତେ ।
ବୁଦ୍ଧି ବିବେକରେ ତୁମେ ଧୁରନ୍ଧର
ଭଲମନ୍ଦ ଜାଣିପାର
କହିବ କି ତମେ ଲଙ୍ଗଳା ଦେହକୁ
କାହିଁ ଦେଖା ବାରମ୍ବାର ।
ଆମପରି ଦିନେ ତୁମେ ରହିଥିଲ
ତାପରେ ମଣିଷ ହେଲ
ଆଧୁନିକ ଦ୍ୱାହି ଦେଇ ତମେ ପୁଣି
ଆହୁରି ତଳକୁ ଗଲ ।
ଦେହ ଢାଙ୍କିବାକୁ ପୋଷାକ ପିନ୍ଧିଲ
ଲଜ୍ୟା ନିବାରଣ ପାଇଁ
ଏଇନେ ପୋଷାକ ଏମିତି ପିନ୍ଧୁଛ
ବୁଲୁଛ ଦେହ ଦେଖେଇ ।
ଝିଅଟି କହିଲା ସେଇଟା ଫେସନ
ଆଜିକାଲି ଆମ ପାଇଁ
ତୁମେତ ବଣରେ ରହୁଅଛ ସଦା
ସେତକ ବୁଝିବ କାହିଁ ।
ହସି ହସି ଝିଅ କହିଦେଲା ପୁଣି
ମୁହଁକୁ ତାହାର ଚାହିଁ
ଆମରି ହାତରେ ସାରା ଦୁନିଆଁଟା
ଚଲାଉ ତାକୁ ଆମେହିଁ ।
ବଣମଣିଷଟି କହିଲା ଝିଅକୁ
ତୁମେ ସବୁ ସ୍ୱାର୍ଥପର
ଆମକୁ ହଟେଇ ଆମରି ଜାଗାରେ
କରୁଅଛ ଘରଦ୍ୱାର ।
ବଣରେ ଆମେତ ରହୁଅଛୁ ବୋଲି
କୁହନ୍ତି ବଣ ମଣିଷ
ସହରରେ ତମେ ରହୁଅଛ ବୋଲି
ସହରୀ ବଣମଣିଷ ।