ଶୀତ ସରିଗଲା
ଶୀତ ସରିଗଲା
ଭାବିଥିଲେ ନିରୋଳାରେ
ଶୀତୁଆ ରାତିରେ ତାରା ଗଣି ଗଣି
କିଛି ସମୟ କାଟିବା,
କାକରର ଟୋପା ଯେବେ
ଟପ୍ ଟପ୍ ଝରୁଥିଵ ଚାଳ ଛପରରୁ,
ନିଆଁ ଅନ୍ତୁଡା ପାଖରେ ଶୀତକୁ ଛଡ଼େଇ
ପରିବାରର ସମସ୍ୟା ଭିତରୁ
ଟିକେ ବିରତି ନେଇ
ପିଲାବେଳର କିଛି ସ୍ମରଣୀୟ ମୂହୁର୍ତ୍ତକୁ ରୋମନ୍ଥନ କରି କରି
ଗୋପନରେ ପାଖାପାଖି ବସିଥିବା ।।
ଅମାବାସ୍ୟା ଅନ୍ଧାର ରାତିରେ
ଜହ୍ନ ତାରା ଲୁଚିଗଲେ
ଦୂର ଝାମ୍ପୁରା କୋଳି ଗଛରେ
ଖଦ୍ୟୋତ ଦେଖିବା ।।
ରାତି ବଢି ବଢି ଗଲେ
ବିଲୁଆର ରଡ଼ି ଶୁଣି ଚମକି ପଡ଼ିଲେ
ଡରିଯାଇ ଛାତିରେ ଟିକେ ଛେପ ଥୁକି
ମୁଁ ଯେବେ ଘୁଞ୍ଚିଯିଵି ତମ ନିହାତି ପାଖକୁ ସାନ୍ନିଧ୍ୟର ଉସ୍ମତା ଭିତରେ
ରାତି ଵିତେଇବା ।
ଗୋଧୂଳି ବେଳାରେ
ଶୀତ ଯେଵେ ଧୁଙ୍କି ଦେଉଥିଵ
ଚୋରଣି ଗାଈକୁ ଖୋଜି ଖୋଜି
ବନ୍ଧ ହୁଡ଼ାରେ ବସି ହତାସରେ
ପାଣିକୋଇଲି ର ଗାଧୁଆ ଦେଖିବା ।।
ସକାଳରେ ସୂର୍ଯ୍ୟ ଯେଵେ ଖିଲି ଖିଲି ହସି
କଅଁଳ କିରଣ ଝିଣ୍ଟୁଥିଵ
ଦୁଵ ଘାସ ଉପରର ଶିଶିରରେ
ଇନ୍ଦ୍ରଧନୁ ରଙ୍ଗ ଵୋଳୁଥିବ
କଜଳପାତି ଝିଣ୍ଟିକା ଖୋଜି ଖାଉଥିବ
ତମେ ଆଉ ମୁଁ ଶୀତକୁ ଖାତିର ନକରି
ସୂର୍ଯ୍ୟୋଦୟ ନିତି ଦେଖୁଥିବା ।।
ସ୍ଵପ୍ନ ତ ଅନେକ ରାତି ପର୍ଯ୍ୟାପ୍ତ ନଥିଲା
କଥା ସବୁ କଥାରେ ରହିଲା
ଜୀବନର ଜଞ୍ଜାଳ ମଧ୍ୟରେ
ସ୍ମରଣୀୟ ସ୍ମୃତି ସଵୁ
କୁହୁଡି ଭିତରେ ହଜି ରାତି ପାହିଗଲା
ଶୀତ ସରିଗଲା , ଶୀତ ସରିଗଲା
ବସନ୍ତର ମନ୍ଦ ମନ୍ଦ ମଳୟ ବହିଲା
ଶୀତ ସରିଗଲା ।।