ଓଠ ତଳ ହସ
ଓଠ ତଳ ହସ
ତୁମ ଓଠତଳ ହସରେ କେତେ ଯେ
ଭାବନା ରହିଛି ପୁରି,
ଦେଖିଦେଲା ପରେ ପଢି ହୋଇଯାଏ
ଯାହା ମନେ ଅଛି ଭରି |
ଲାଜୁଆ ଲାଜୁଆ ସେ ହସରୁ ସତେ
ଝରିଆସେ ଭରା ପ୍ରୀତି,
ଭିଜାଇ ଦେବକି ତନୁ ମନ ମୋର
ପ୍ରୀତି ମଦିରାରେ ସାଥି |
ତୁମ ନୟନରେ ସଞ୍ଚିତ ଅସରା
ମଧୁବୋଳା ପ୍ରୀତି ଭାଷା,
ପଢି ମୁଁ ଦେଇଛି ତୁମ ଅଜାଣତେ
ମୋ ପାଇଁ ତ ସବୁ ଲେଖା |
ତୁମ ଓଠରେ ଯେ ହସର ପାଖୁଡା
ଯେବେ ଝରି ଝରି ଆସେ,
ମୋ ହୃଦୟ କେତେ ସୁବାସିତ ଫୁଲେ
ରୋମାଞ୍ଚିତ ହୋଇ ବାସେ |
ତୁମ ଓଠ ହସେ କବିତାର ଧାରା
ସତେ ଚିର ସ୍ରୋତସ୍ୱିନୀ,
ସାତସୁର ତାର ମୋ ମନେ ବୁହାଏ
ପ୍ରୀତିଭରା ମନ୍ଦାକିନୀ |
ତୁମ ମନେ ଯେତେ ଗୋପନ ଭାବନା
ଧରାପଡେ ତୁମ ହସେ,
ଲୁଚି ପାରନା କି ଲୁଚାଇ ପାରନା
ସବୁ ସତର୍କତା ସତ୍ୱେ |
ହସ ପରା ଅଟେ ହୃଦୟର ଭାଷା
ସ୍ୱତସ୍ଫୁର୍ତ୍ତ ପରିସ୍ଫୁଟେ,
ଦେଖିଦେଲେ କେବେ ମନର ମଣିଷ
ଅଜାଣତେ ଭାସିଆସେ |
ହସରୁ ଝରଇ ଅମୃତର ଧାରା
ପ୍ରକୃତି ଦେଇଛି ଭରି,
ଛଳନାର ହସେ ଥାଏ ମିଛ ପ୍ରୀତି
ମୁହୂର୍ତ୍ତକେ ଯାଏ ଝରି |
ବିରହ ପ୍ରାଣରେ ପ୍ରୀତିର ହସ ଯେ
ଭରିଥାଏ ସମ୍ଭାବନା,
ହସର ଇଙ୍ଗିତ ମନେ ଭରିଦିଏ
ମିଳନର ଉନ୍ମାଦନା |
ଯାହା ଓଠ ତଳେ ହସ ସଦା ଖେଳେ
ସିଏ ଜାଣିଛି ତା ସ୍ୱାଦ,
ପରକୁ ଆପଣା କରି ଜୀବନରେ
ଦୂରକରେ ଅବସାଦ |