ଶିଶିର ସ୍ନାତା
ଶିଶିର ସ୍ନାତା
କୁହୁଡି ଘେରା ସକାଳେ ଦିନେ ଦେଖିଥିଲି,
ଏଯାଏ ସେ ଦୃଶ୍ୟ ଲିଭିବାକୁ ନାଁ ଧରୁନି
ଆଉ ଥରେ ଦେଖିବାର ଦୁର୍ବାର ପ୍ରୟାସ,
ଅକାଳେ ଅବେଳେ ଆସି କରେ କବଳିତ l
କି କୁହୁକ ମନ୍ତ୍ରେ କରି ଦେଲ ବନ୍ଧନ,
ଆଖି ଚଞ୍ଚଳ ମୋ ଅସ୍ଥିର ମନ
ରାତି ତ ରାତି, ଦିନରେ ବି ଆସି ଯାଏ ସପନ,
କାହାର ଭାବନାରେ ରହେ ମୁଁ ମଗ୍ନ l
କିଏ ତୁମେ ତୁମ ପରିଚୟ ନଜାଣେ,
ତଥାପି ଆଶାର ଝରଣା ମୋ, କାଇଁ ଉଛୁଳେ
ହୁଏତ ଦିନେ ହୋଇଯିବ ତୁମେ ମୋହର,
ଏଇ ଭାବନାରେ ସାରି ଦିଏ ମୁଁ ଦିନ l
କୁହୁଡି ଘେରରେ ଶରୀର ତୁମ ଅର୍ଦ୍ଧ ଧୌତ,
କିଛି ଦିଶ କିଛି ଝାପସା ଲାଗ
ପଣତ କାନିରେ ପୋଛି ଦେଲ ଯେବେ ମୁଖ,
ସେ ଦୃଶ୍ୟେ ମିଳି ଗଲା କି ସର୍ବ ସୁଖ l
ଅଦିନ ବର୍ଷା ଟା ବର୍ଷି ଗଲା ପରେ,
କିଛି କିଛି ହୁଏ ମନ ଭିତରେ
ଭାଷାରେ ବର୍ଣିବା ସମ୍ଭବ ନହେଲେ,
ଛଟ ପଟ ମନ, ରାତି ସାରା ଶୋଇ ନପାରେ l
ଲୋଭାସକ୍ତ ମନର ଲାଳସା ବଢେ ଆଉ ଥରେ ଦେଖିବାର,
ଅଭିପ୍ରାୟ ଧୀରେ ଧୀରେ ହୁଏ ବଳବତ୍ତର
ଭାବନା ରାଜ୍ୟେ ବଞ୍ଚିବାରେ ଅଛି ଯେ ମାଦକତା,
କୋଉ ଗୁଣେ ତୁଳନୀୟ ନୁହେଁ ତା ସରସତା l
ଅଜଣା ଅତିଥି ତୁମେ ରହିଯିବ ଅଜାଣତେ,
ମନରୁ ଯିବନି ତୁମ ସ୍ମୃତି ଲକ୍ଷେ ପ୍ରଚେଷ୍ଟାରେ
ସ୍ଵପ୍ନର ଇଲାକାର ମଧ୍ୟେ ମନ ଘୁରୁଥିବ,
ବାଟ ନପାଇ କିଛି, ପୁଣି ନିରାଶେ ଫେରୁଥିବ ।