ଚାଲ ଗାଁ ବୁଲିଯିବା....
ଚାଲ ଗାଁ ବୁଲିଯିବା....
ନିଅ ଧର ତୁମ ଵଙ୍କୁଲି ବାଡ଼ି
ଚାଲ ଗାଁ ମୁଣ୍ଡ ସେ ବରଗଛ ଯାଏଁ
ଚାଲି ଚାଲି ଯିଵା ।
ବାଟରେ ଥକ୍କା ହୋଇ
ଧଇଁ ସଇଁ ହେଲେ
ହାତ ଧରି ଟିକେ ଭୂଇଁରେ ବସିବା
ଚାଲିବାକୁ ସାହସ ଭରିଲେ
ପୁଣିଥରେ ଆଗକୁ ବଢିବା ।
ଧର ତୁମ ଚଷମା
ଘର ସଵୁ ପୁରୁଣା ହେଲାଣି
ବାଟ-ଘାଟ ବଦଳି ଗଲାଣି
ଗାଁ ପରିବେଶ, ଚିହ୍ନି ନିଜ ଲୋକ
ସୁଖ-ଦୁଃଖ ପଚାରି ବୁଝିବା ।
ନିଅ ଗାମୁଛା ତୁମର
ବାଟ ଚାଲି ଵହିଯିବ ଯେବେ
କପାଳରେ ଝାଳ ଟୋପା ଟୋପା
ସରାଗରେ ପୋଛା-ପୋଛିହେଵା
ମୋ ଅଣ୍ଟିରୁ ବାହାରେଇ
ପାକୁଆ ପାଟିରେ
ଖଇ ଦି ମୁଠା ପାକୁଳି ଖାଇବା ।
ହେଲେ ହେଉ ବେଳରୁ ଅବେଳ
ଦି ଚାରି ଘରେ ପଶି
କିଛି ସ୍ନେହ ବାଣ୍ଟି ନେବା ।
ମାଖି ନିଅ କାନରେ ଅତର
ଘସିଦିଅ ପାଇଜାମା ସାରା
ମହ ମହ ବାସୁଥାଉ ସେ ଅତର ବାସ
ଯଉବନ କଥା ଟିକେ ମନେ ପକେଇବା
ମନ ହୋଇବ ହରସ
ବାଟ ସରିଯିବ, ଥକ୍କା ମେଣ୍ଟିଯିବ
ମନ ଭରି ଗପ କରି କରି
ପୁଣି ଘରକୁ ଫେରିଵା
ଚାଲ ଗାଁ ବୁଲିଯିବା ।

