ଆସ ,ଗୋ ଶାମୁକା
ଆସ ,ଗୋ ଶାମୁକା
ବୈତରଣୀ କୂଳେ ବୁଲୁଥିଲି ଦିନେ
ସନ୍ତର୍ପଣେ ସାୟାହ୍ନରେ ,
ଅସ୍ତଗାମୀ ସୂର୍ଯ୍ୟ ସ୍ମିତ ହସୁଥିଲେ
ପ୍ରତୀଚୀ ଦିକ୍-ବଳୟରେ ।
ସୂର୍ଯ୍ୟଙ୍କ ହସରେ ପଶ୍ଚିମ ଆକାଶ
ହେଉଥିଲା ଉଦ୍ଭାସିତ ,
ସନ୍ଧ୍ୟାରାଣୀ ବୋଧେ ମଧୁ ମୂର୍ଚ୍ଛନାରେ
ଗାଇଯାଉଥିଲେ ଗୀତ ।
ପକ୍ଷୀଙ୍କ କାକଳି ବିଜନ ତୀରରେ
ଭରୁଥିଲା ମାଦକତା ,
ସୁଲୁସୁଲୁ ବାଆ ବହି ଯାଉଥିଲା
ନୟନେ ଭରି ସାନ୍ଦ୍ରତା ।
ବୈତରଣୀ ନୁହେଁ ବିତର୍କ ତଟିନୀ
ନୁହେଁ ଗଙ୍ଗା ଗୋଦାବରୀ ,
ତଥାପି ତା' ବକ୍ଷେ ରହିଛି ବହଳେ
ପୁଣ୍ୟତାର ଆଶାବରୀ ।
ନିର୍ଜନ କୂଳରେ ନଜର ପଡିଲା
ଶୋଇଛି ଏକ ଶାମୁକା ,
ଆଖିରେ ତାହାର ଅନନ୍ତ ପିପାସା
ଅଧରେ ଅଛି ପ୍ରତୀକ୍ଷା ।
ବିଜନତା ବକ୍ଷ ଭେଦିଯାଉଥିଲା
ତା' ପ୍ରତୀକ୍ଷା-ପାରାବାର ,
ବିଜନତା ତୁମେ ବର୍ଜନସାପେକ୍ଷ
ବରଂ ଭଲ କାରାଗାର ।
ନିଶୀଥ ସୂର୍ଯ୍ୟଙ୍କ ନରମ ରଙ୍ଗରେ
ଶାମୁକାର ସୁନ୍ଦରତା ,
ଉଦ୍ଭାସିତ ହୋଇ ଭରି ଦେଉଥିଲା
ଅନ୍ତରଙ୍ଗ ଆତ୍ମସତ୍ତା ।
ସୁନ୍ଦରତା ସିନା ପ୍ରକୃତିପ୍ରଦତ୍ତ ,
ନିୟତିକୃତ ବେଦନା ,
ଅଙ୍ଗେ ଅଙ୍ଗେ ତା'ର ଭରିଦେଉଥିଲା
ଅକଥନୀୟ ଯନ୍ତ୍ରଣା ।
ଭାବିଲି ଯିବି ତା' ଶାଣିତ ଶେଯକୁ
କହିବି ପଦିଏ କଥା ,
ଭାବିପାରିଲିନି , ଲୁଟିପାରିବି କି
ଅନ୍ତରୁ ଅବ୍ୟକ୍ତ ବ୍ୟଥା ।
ବେଦନାସିକ୍ତ ତା' ନିର୍ଲିପ୍ତ ଚାହାଣି
ତା' ପାଖକୁ ନେଲା ଟାଣି ,
ଆଉଁଶିଦେଲି ତା' ଚୂର୍ଣ୍ଣକୁନ୍ତଳକୁ
ବେଦନା ପାରିଲି ଜାଣି ।
ଅନେଇ ଦେଲା ସେ ଅଶ୍ରୁଳ ନୟନେ
ହୃଦୟ ହେଲା ମୋ' ହାଣି ,
କହିଲି , ଶାମୁକା ସାଥେ ତୁମ ଅଛି ;
ନୁହଁ ତୁମେ ଏକାକିନୀ ।
ଧନ୍ୟ ତୁ , ବିଧାତା ବିଚିତ୍ର ଭିଆଣ ,
ଶାମୁକା ଦେହରେ ମୁକ୍ତା ,
ଦେଇଅଛୁ ସିନା , ଲଦି ଦେଇଅଛୁ
ବିତର୍କିତ ବିଜନତା ।
ଶାମୁକା ଗୋ ତୁମେ ଏଡ଼ିକି ସୁନ୍ଦରୀ
କେଉଁ ଉପାଦାନେ ଗଢ଼ା
ମୁକ୍ତାଦେହୀ ମାତ୍ର ନିର୍ଜନ ଦ୍ବୀପରେ
ରୁହ ହୋଇ ଅସଜଡା ।
ଆସ , ଗୋ ଶାମୁକା ନେବି ମୁଁ ତୁମକୁ
ମୋ' ଭଙ୍ଗାରୁଜା ଘରକୁ ,
ଘର ସିନା ଭଙ୍ଗା , ମନ ନିରିମଳ ,
ସାଇତିବି ମୁଁ ତୁମକୁ ।
ଏଇ ଜନମରେ ନ ହେଲା ତ ନାହିଁ
ଆର ଜନମର ପାଇଁ ,
ରହିବ ମୋ' ପାଶେ ନ୍ୟାୟ ନିର୍ବିଶେଷେ
ସୁନାକଣ୍ଢେଇଟେ ହୋଇ ।