STORYMIRROR

Manas Ranjan Nayak

Romance Classics Inspirational

3  

Manas Ranjan Nayak

Romance Classics Inspirational

ବର୍ଷା ଏବେ ଛାତରେ ଛାତିରେ

ବର୍ଷା ଏବେ ଛାତରେ ଛାତିରେ

1 min
190

ଜ୍ଯେଷ୍ଠର ନିରୁତା ନିଦାଘକୁ ଏବେ ମିଳିଲା ପ୍ରତୀକ୍ଷିତ ଶୀତଳତାର ଆଶ୍ଳେଷ

ସନ୍ତାପିତ ତୃଣଟି ଭିଜୁଛି ମୌସୁମୀର ଛିଟାରେ, ଗଜୁରୁଛି ସବୁଜ ବିଶ୍ବାସ

ଛାତ ଉପରେ ଘରଚଟିଆ ଚଞ୍ଚୁଟେକି ଅନୁଭବୁଛି ଆଶୀର୍ବାଦ ବାରିଧାରା 

ଝରକା ସେପାଖର ଆଚ୍ଛନ୍ନ ଆକାଶେ ଏବେ ଆଷାଢ଼ର ନିରାସକ୍ତ ପ୍ରୀତିଧାରା। 


ଜୀବନ ଯୋଗରେ ତିଳତିଳ ହୋଇ ସାଧିଲୁ ତୁ କେତେ ତ୍ଯାଗ ତିତୀକ୍ଷାର ତପସ୍ୟା

ସମ୍ପର୍କ ହୋମାଗ୍ନିରେ ଆହୂତି ଦେଲୁ ନିଜସ୍ବ ସୁଖ ସ୍ବାଛନ୍ଦର ଅଳିକ ଭରସା

କାଳବୈଶାଖୀକୁ ସ୍ମୃତିକରି ବସୁଧା ଏବେ ସାଉଁଟୁଛି ଶ୍ରାବଣର ଆର୍ଦ୍ର ଶିହରଣ

ବିଶ୍ବାସର ବୀଜ ବୁଣି ଛିଞ୍ଚିଦେ ବର୍ଷାର ଆଞ୍ଜୁଳେ ଜୀବନ୍ଯାସ, ଜିଉଁ ସମର୍ପଣ। 


ପ୍ରୀତି ବିରହ ପ୍ରେମ ପ୍ରତାରଣାର ଜଟିଳ ଅଙ୍କକଷାରେ ବିତସ୍ପୃହ ଜୀବନ

ମଣିଛୁ ନିଷ୍ଫଳ ତୋର ବିଭୂଦତ୍ତ ଧର୍ମ କର୍ମର ସାଂସାରିକ ବାଇଶି ସୋପାନ

ପରମାତ୍ମାଙ୍କ ପରମାଣୁରେ ହିଁ ନିର୍ଲିପ୍ତ ଶତକୋଟି ସମ୍ଭାବନାର ବିସ୍ଫୋରଣ

ଚାତକର ପ୍ରଚ୍ଛନ୍ନ ବିଶ୍ବାସନେଇ ଅବିରତ ଦୋହରାଉଥା କର୍ମମନ୍ତ୍ର ଉଚ୍ଚାରଣ । 


ମାଟି ଏବେ ଓଦା ସରସର, ଭୋଗୁଛି ପୁଲକ ସଦ୍ଯ ପରିତୃପ୍ତିର ଅଙ୍କୁରଣ

ଛତା ଫିଙ୍ଗି ଛାତିଖୋଲି ଭିଜିଯା ଛାତରେ ଆଜି, ଧୋଇଯାଉ ମୋହର ଆସ୍ତରଣ। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance