ମୌସୁମୀ ମୁରୁକି ମୁରୁକି
ମୌସୁମୀ ମୁରୁକି ମୁରୁକି
ଝୁମି ଝୁମି ଆସିଲା ମୌସୁମୀ
ପୁଣି,ମନରେ ତୁମ କଥାର ବରଷା
ଓଃ ହୋ! କେତେ ଉଷ୍ମତା ଆଉ ଶ୍ୱାସରୁଦ୍ଧ ଭାବ
ସବୁ ଧୋଇ ହେଲା ବର୍ଷାର ବୁନ୍ଦାରେ।
ଘର ଅଗଣାରେ ବର୍ଷାର ବୁନ୍ଦା
ନୂଆ ଉନ୍ମାଦନା ତନ ଓ ମନରେ।
ମାଟିର ଭିଜା ଭିଜା ବାସ୍ନା
ଶାଗୁଆ ଓଢ଼ଣୀ ପିନ୍ଧିଛି ଧରଣୀ
ପଶୁ ପକ୍ଷୀ ନର ନାରୀ
ନଦୀ, ନାଳ,ପୋଖରୀ ଗାଡିଆ
ପରିତୃପ୍ତିର ଝଲକ ସକଳ କ୍ଷେତ୍ରରେ
ଉଲ୍ଲସିତ ନୂଆ ଉନ୍ମାଦନା ସହିତ।
ଖୁସିର ଲହରୀ ଧରଣୀ ବକ୍ଷରେ
ତଥାପି ,ଦୁଃଖରେ ବସିଛି ବିରହୀ ପ୍ରେମିକା
ସାଥୀ ନାହିଁ ସାଥୀ ହେବା ପାଇଁ
ବର୍ଷାର ଧାରା ପରି ଆଖିରେ ଆଖିଏ ଲୁହ।
କବି କଳ୍ପନାରେ ନୂଆ ନୂଆ ଭାବ
ମୌସୁମୀ ପ୍ରଭାବରେ ହେଉଛି ଉଦ୍ରେକ
ଫର୍ଦ୍ଦ ଫର୍ଦ୍ଦ କବିତା ଭାସି ଯାଉଅଛି
କାଗଜ ଡଙ୍ଗା ପରି ବରଷା ପାଣିରେ।
ପୁରୁଣା ସ୍ମୃତି ବି ଉଜ୍ଜୀବିତ, ବର୍ଷାର ବୁନ୍ଦାରେ
ମୌସୁମୀ ଆଢୁଆଳେ ପ୍ରୀତିର ପରଶ
ଝୁରୁଛି ପ୍ରେମିକ,ଝୁରୁଛି ପ୍ରେମିକା
ହସୁଛି ମୌସୁମୀ ,ମୁରୁକି ମୁରୁକି ।

