ସେ ତ ଯାଇଛି ଚାଲି
ସେ ତ ଯାଇଛି ଚାଲି
ଜୀବନ ଖୋଜୁଛି
ବସନ୍ତ ଠିକଣା
ନିଦାଘ ର ଉତ୍ତପ୍ତ
ତାତିରେ ସିଝି ସିଝି...l
ଅନେକ ଯନ୍ତ୍ରଣା କୁ ଧରି
ହଜିଯାଏ ସ୍ମୃତି ଝର
ଅତୀତ ପୃଷ୍ଠା ରେ
ଭିଜି ଭିଜି.....l
ସ୍ମୃତି ସହରରୁ ସାଉଁଟି ଆଣିଛି
ମୁଠାଏ ସପନ ଆଞ୍ଜୁଳିରେ ଭରି
ସେ ତ ଯାଇଛି ଚାଲି
ଅଣଦେଖା କରି,
ହୃଦୟ କୁଞ୍ଜବନ
ଏବେ ଦଗ୍ଧ ଫୁଲବନ,
ନାହିଁ ସେଠି ମଳୟ ପବନ......l
ବସନ୍ତ ସେ ଅଥୟ, ଅସ୍ଥିର
ନିତ୍ୟ ନୂତନ ଅଭିସାରେ
ସମ୍ପର୍କର ଦିଗନ୍ତ କୁ ଛୁଇଁ
କେଉଁ ବନ, ଉପବନେ
ମଳୟ ସାଥିରେ
ମତୁଆଲାହୋଇ......l
ବସନ୍ତ ହଜିଲା
ଅତୀତ ପୃଷ୍ଠାରେ,
ମଳୟ ତ କାହିଁ କେତେଦୂର,
ଜୀବନ ର ଫୁଲବନ
ହୋଇ ବାସହୀନ
ମନ ପକ୍ଷୀ ଝୁରିମରେ.....l
କେତେ ଅଫେରା ସମୟ
ଅଭୁଲା ସ୍ମୃତି ଚାଲିଯାଏ
ବସନ୍ତ ସାଥିରେ
ବୟସ ର ପାହାଚକୁ ଡେଇଁ....l
ଖୋଜୁଛି ଜୀବନ ଏବେ
କାହିଁ ଗଲା ବସନ୍ତ,
ରଂଗ ପସରାକୁ ନେଇ
ମନ କାନଭାସ୍ ରେ
ଆଙ୍କିଥିବା ରଙ୍ଗୋଲି ର
ରଙ୍ଗ ସବୁ ଫିକା ଫିକା ଲାଗେ....l
ଆସିବ ସେ ଯେବେ,
ନଥିବ ଅଭିମାନ
କିବା ଆକର୍ଷଣ....
ଥିବ ଖାଲି ଉଦାସୀ ଆଖିରେ
କୋହଭରା କେଇ ଟୋପା
ଲୁହର ଶ୍ରାବଣ.....ll

