ପାଦ ପାଉଁଜି
ପାଦ ପାଉଁଜି
କୁଞ୍ଜବନେ ରାଧାରାଣୀ ହୋଇ ଅଛି ସଜ,
ଅଜିତ ଆସିବେ କୁଞ୍ଜେ ଶ୍ୟାମ ବ୍ରଜରାଜ।
ମୁଖ ପଦ୍ମ ଝଟକଇ ସତେ ପୂର୍ଣ୍ଣ ଜହ୍ନ,
ଚକ୍ଷୁ କି ନୀଳ ନଳିନୀ ପୁଷ୍ପିତ କୁସୁମ ।
ଗଳେ ଗଳା ହାର ଆହା ନକ୍ଷତ୍ରର ଭ୍ରମ,
ସୃଜଇ ଚମ୍ପକ ସମ ରାଧା ଅପଘନ ।
କଟିରେ ମେଖଳା ଘେରା ସର୍ବାଙ୍ଗେ ଚନ୍ଦନ
ଦିଶଇ ଅତୁଳନୀୟ ରୂପ ଅବର୍ଣ୍ଣନ, ।
ପଦ ପଲ୍ଲବେ ଝଟକେ ପାଉଁଜି ନୂପୁର
ରୁଣୁଝୁଣୁ ନିକ୍ଵଣରେ ମୋହ ତିନି ପୁର ।
ଶବଦ ଶୁଭିଲା ଯାଇ କର୍ଣ୍ଣ ଗହ୍ଵରରେ,
ଚମକି ପଡିଲେ କୃଷ୍ଣ ନୂପୁରର ସ୍ଵରେ ।
ଏତ ରାଧା ପାଉଁଜି ର ଅପୂର୍ବ ନିକ୍ଵଣ,
ମଦନ ଶର ବିନ୍ଧେ କି ମନ ଛନଛନ ।
ଶବଦ ସୃଜେକି ସତେ ବାକ୍ୟ ଦେବୀ ବୀଣା,
ବାଦନ କରନ୍ତି ବୈକୁଣ୍ଠେ ହୋଇ ଆନମନା ।
ବୀଣା ନିକ୍ଵଣ ରୁ ବଳି ଶୁଭଇ ମଧୁର,
ରାଧା ରାଣୀ ପଦ ପଲ୍ଲବ ପାଉଁଜିର ସ୍ଵର ।
ରାଧା ପାଦ ପାଉଁଜିର ଚିତ୍ରାବଳି ମନେ,
ଆଙ୍କୁଛନ୍ତି ବ୍ରଜ ରାଜ ମଗ୍ନ ରାଧା ପ୍ରେମେ ।
ବିହ୍ଵଳେ ମୋହିନୀ ମାୟା ବଶେ କୃଷ୍ଣ ଚନ୍ଦ୍ର,
ଟାଣି ଆଣିଲା କୁଞ୍ଜକୁ ପାଉଁଜି ର ଶଦ୍ଦ ।
ରାଧାରାଣୀ ସଙ୍ଗେ କୃଷ୍ଣ ହୋଇଲେ ବିଜୟ,
ରାଧାପଦ ପାଉଁଜି ନିକ୍ଵଣ ଶଦ୍ଦମୟ ।
କରୁଛି ଉଛନ୍ନ ଆଜି ଏ ସାରା ଜଗତ,
କରିଛି ସେହି କାଳରୁ ସେ ଶଦ୍ଦ ମୋହିତ ।

