କହିବକି ତୁମେ
କହିବକି ତୁମେ
କହିବକି ତୁମେ
ଜୀବନର ପୂର୍ଣ୍ଣାଙ୍ଗ ବୟସେ
ସାଜିବକି ସାଥି
ଥିଲା ଯାଏଁ ଶେଷ ନିଶ୍ୱାସ ।
ଅଭୁଲା ଅତୀତରେ
ବିତି ସାରିଛି ବହୁ ସମୟ
ଭୁଲି ମୁଁ ସାରିଛି କେବେ
ବସିଥିଲେ ଆମେ ଏକାନ୍ତରେ ।
ଧରିଥିଲି ଦିନେ ତୁମ ହାତ
ଅବୁଝା ବୟସରେ ତୋର
ଜୀବନକୁ ଜାଣିବା ଆଗରୁ
ଗଢି ମୁଁ ସାରିଥିଲି ସଂସାର ।
କହିବକି ତୁମେ
ନିଜେ ଥରେ ଭାବି ଦେଖିଛ
କଲମ ଧରିଥିବା ହାତରେ
ପରଷିଛି ମୁଁ କେତେ ଯେ ସ୍ୱାଦ
ତୁମ ପାଇଁ ସବୁ ସ୍ବପ୍ନ କରିଛି ତୁଚ୍ଛ ।
କହିପାରିବ ତୁମେ ଛୁଇଁ ମୋ ଦେହ
ତରଳିଛି କେବେ ତମ ହୃଦୟ
ଶୁଣି ମୋ ବେଦନାର ସ୍ୱର
ଚାପି ରଖିଛି କେତେ ଯେ କୋହ ।
କହିବକି ତୁମେ
ତୁମର ସର୍ବସ୍ୱ ସମୟର ଦାନ
ଗୋଟି ଗୋଟି କରି ଅନ୍ୟକୁ
ଦେଇଛ ବାଣ୍ଟି
ତାହା କେବଳ ନଥାଏ ମୋ ଭାଗ୍ୟରେ ।
କହିବକି ସତ!
ପଚାରିଛ କେବେ ପୁରିଛି ମୋ ପେଟ
ନିଜ ଛାତିରେ ହାତ ରଖି
ପଚାର କେବେ ଓଗାଳିଛ ତୁମ ବାଟ ।
କହିବକି ତୁମେ
ମନକୁ ଯଦି ଥରେ ପଚାରନ୍ତ
ତେବେ ନିଶ୍ଚୟ ଜାଣନ୍ତ
ଜୀବନର ସବୁ ସମୟରେ
ମୁଁ ଛାଡି ନାହିଁ ତୁମ ହାତ ।
ଜୀବନର ଶେଷ ପାହାଚରେ
ଆଜି ଆମେ ସ୍ଥାପିତ
ସବୁପରେ ଆଜିବି ମାଗେ
ତୁମ ସମୟର ଅଧିକାର ।
ଆଖି ମୁଜିବା ଆଗରୁ
ପାଖରେ ଥରେ ବସିଯାଅ
ବର୍ଷ ବର୍ଷର ବେଦନାକୁ
ତୁମ କାନ୍ଧରେ ବହିଯିବାକୁ ଦିଅ ।